ହରିଚନ୍ଦନପୁର, ତା ୨୬ ଜୁଲାଇ(ହି.ସ.) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମ ପଞ୍ଚାୟତ ଚକ୍ରଧରପୁର ଗ୍ରାମରେ ଉଢଣୀରୁ ଝୁଲନ୍ତା ଅବସ୍ଥାରେ ନବ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମିଳିଥିବା ଖବର ଅନୁଯାୟୀ ଉକ୍ତ ଗ୍ରାମର ଆୟୁର୍ବେଦ ଚିକିତ୍ସାଳୟର ଡାକ୍ତର ବିଭୁ ପ୍ରସାଦ ନାୟକଙ୍କ ବାସଭବନରୁ ପତ୍ନୀ ରୋଜିନା ନାୟକ(ମାନୀ) (୨୭)ଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ । ସୂଚନା ଅନୁଯାୟୀ ବିବାହ ପରେ ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ବାରମ୍ବାର ଝଗଡ଼ା ସୃଷ୍ଟି ହୁଏ । ଏନେଇ ଗତ କିଛି ଦିନ ପୂର୍ବରୁ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ତାର ସମାଧାନ ପରେ ଏଠାକୁ ଆସି ଦୁହେଁ ଉକ୍ତ ସରକାରୀ ବାସ ଭବନରେ ରହୁଥିଲେ । ଏଠାରେ ରହିବା ପରେ ମଧ୍ୟ ଅନେକଥର ଦୁହିଁଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇ ହରିଚନ୍ଦନପୁର ଥାନାରେ ସମାଧାନ ହୋଇଥିବା ଜଣାପଡ଼ିଛି । ଗତ ଶୁକ୍ରବାର ସନ୍ଧ୍ୟାରେ ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ପୁଣିଥରେ ଝଗଡ଼ା ସୃଷ୍ଟି ହୋଇଥିଲା । ଯାହାକୁ ନେଇ ବିଳମ୍ବିତ ରାତିରେ ଡାକ୍ତର ବିଭୁ ନିଜ ପତ୍ନୀଙ୍କୁ ହତ୍ୟା କରି ଘର ଭିତର ଫ୍ୟାନରେ ଝୁଲାଇ ଦେଇ ବାହାର ଗ୍ରିଲରେ ହାତ ଗଳାଇ ତାଲା ପକାଇ ଫେରାର୍ ହୋଇଯାଇଥିବା ପାଖ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁ ଅବସ୍ଥାରେ ମାନୀଙ୍କ ମୃତଦେହ ଉଦ୍ଧାର ହୋଇଛି, ତାହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଅନୁମାନ କରାଯାଉଛି, କାରଣ ଡାହାଣ ଗୋଡ଼ ଖଟ ଉପରେ ରହିଥିବା ବେଳେ ବାମ ଗୋଡ଼ ତଳ ଚଟାଣରେ ଲାଗି ରହିଛି । ଗ୍ରାମବାସୀଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ମାନୀଙ୍କ ପରିବାର ଲୋକଙ୍କୁ ଖବର ଦେଇ ଉକ୍ତ ମୃତଦେହକୁ ଉଦ୍ଧାର ପରେ ଜବତ କରିଛି । ମୃତ ମହିଳାଙ୍କ ପରିବାର ପକ୍ଷରୁ ହତ୍ୟା ନେଇ ହରିଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି । ଏନେଇ ଅଧିକ ସୂଚନା ମିଳିନଥିବା ବେଳେ ପୋଲିସ ତଦନ୍ତ ଓ ବ୍ୟବଚ୍ଛେଦ ସଠିକ୍ ତଥ୍ୟ ଆସିବା ପରେ ଘଟଣାର ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ଜନସାଧାରଣରେ ଆଲୋଚନା ହୋଉଛି । ଏଥିସହ ଘଟଣାର ଅଧିକରୁ ଅଧିକ ତଦନ୍ତ ଜାରି ରଖିଥିବା ସହ ଡ଼ାକ୍ତର ବିଭୁ ପ୍ରସାଦ ନାୟକଙ୍କ ସନ୍ଧାନ ଖୋଜୁଥିବା ନେଇ ପୋଲିସ ସୂତ୍ରରୁ ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରେମାନନ୍ଦ