କନ୍ଧମାଳ, ୨୬ ଜୁଲାଇ (ହି.ସ.)- ଏଚଆଇଭି ଏଡ଼ସ ସମ୍ପର୍କିତ ଜିଲ୍ଲା ସ୍ତରୀୟ କୁଇଜ ପ୍ରତିଯୋଗିତା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏଚଆଇଭି ଏଡ଼ସ ସମ୍ପର୍କରେ ଚଚେତନତା ସୃଷ୍ଟି କରିବା ପାଇଁ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ଶିକ୍ଷା ବିଭାଗ ର ମିଳିତ ପ୍ରଚେଷ୍ଟା ତଥା ଓଡିଶା ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସମିତିର ସହାୟତାରେ, ଫୁଲବାଣୀ ସ୍ଥିତ ଏଜେଓ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଏକ ଜିଲ୍ଲା ସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିଯୋଗିତାରେ ଜିଲ୍ଲା ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ, ଦ୍ୱତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ l ଉକ୍ତ ପ୍ରତିଯୋଗିତାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସନ୍ତୋଷ କୁମାର ପାଢ଼ୀ, ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସୁସ୍ଥ, ଶୃଙ୍ଖଳିତ ତଥା ସଂଯମୀ ଜୀବନଯାପନ ପାଇଁ ପରାମର୍ଶ ପ୍ରଦାନ କରିଥିଲେ l
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସଞ୍ଜୟ କୁମାର ପାତ୍ର ଏବଂ ଏଜେଓ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପାୟଲ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ l ଅନୁଷ୍ଠିତ ଜିଲ୍ଲା ସ୍ତରୀୟ କୁଇଜ ପ୍ରତିଯୋଗିତାରେ ସରକାରୀ ଉଚ୍ଚ ବିଦ୍ୟାଳୟ, ବଡ଼ିମୁଣ୍ଡାର ଛାତ୍ରୀ ସୁଶ୍ରୀ ବ୍ଲେସି ଦିଗlଲ, ପ୍ରଥମ ସ୍ଥାନ ଏବଂ କୋଟଗଡ ସରକାରୀ ଏସ ଏସ ଡ଼ି ଉଚ୍ଚ ବିଦ୍ୟାଳୟର ଛାତ୍ର ଶ୍ରୀମାନ ସାଇକିରଣ ପାତ୍ର, ଦ୍ଵିତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥିଙ୍କ ଠାରୁ ଆର୍ଥିକ ପୁରସ୍କାର ରାଶି ଏବଂ ପ୍ରମାଣପତ୍ର ଗ୍ରହଣ କରିଥିଲେ l ସମସ୍ତ ପ୍ରତିଯୋଗୀ ମାନଙ୍କୁ ଅଂଶ ଗ୍ରହଣ ପାଇଁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଏଡ଼ସ ସୁପରଭାଇଜର ଦେବାଶିଷ ମିଶ୍ର ସଂଯୋଜନା କରିଥିଲା ବେଳେ ଜିଲ୍ଲା ଏଡ଼ସ ପରାମର୍ଶଦାତା ଗୋବିନ୍ଦ ଚନ୍ଦ୍ର ଜେନା ସହାୟତା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ