କନ୍ଧମାଳ, ୨୬ ଜୁଲାଇ (ହି.ସ.)- ବାର୍ଦ୍ଧକ୍ୟ ସମୟର ଚିକିତ୍ସା ସୁଯୋଗ ନିମନ୍ତେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଦୁରଦୁରାନ୍ତ ଗ୍ରାମ ଗୁଡିକରେ ସଚେତନତାର ଅଭାବ ଓ ଆନୁଷ୍ଠାନିକ ସୁବିଧା ସୁଯୋଗ ଅପହଂଚ ଥିବାରୁ ବହୁ ବୃଦ୍ଧ ଓ ବୃଦ୍ଧା ଅସୁବିଧାରେ ସମ୍ମୁଖିନ ହେଉଥିବା ବେଳେ ସେମାନଙ୍କର ସ୍ୱାସ୍ଥ୍ୟଗତ ଯତ୍ନ ନିମନ୍ତେ ସହଯୋଗର ଆବଶ୍ୟକତା ରହିଛି । ଏହାକୁ ଆଖିଆଗରେ ରଖି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଂଚଳରେ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ଦ୍ୱାର ଦେଶରେ ଚିକିତ୍ସା ଯୋଗାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ସାରଙ୍ଗଗଡ, ବେଲଘର, ଫିରିଙ୍ଗିଆ, ଇନ୍ଦ୍ରଗଡ ଭଳି ଅବହେଳିତ ଅଂଚଳର ଗ୍ରାମ ଗୁଡିକରେ ଷ୍ଟାଫ୍ ନର୍ସ ମାନେ ପହଂଚି ରୋଗରେ ପୀଡିତ ଥିବା ବୃଦ୍ଧ ବୃଦ୍ଧା ମାନଙ୍କର ଚିକିତ୍ସା କରାଇବା ସହିତ ସେମାନଙ୍କର ରକ୍ତଚାପ ଓ ସ୍ପନ୍ଦନ ମାପିବ ଏବଂ ପରାମର୍ଶଜନିତ ସେବା ଦେବା ଭଳି କାର୍ଯ୍ୟ କରୁଛନ୍ତି ଯାହା ସେମାନଙ୍କୁ ଜୀବନ ବଂଚିବାର ରାହା ମିଳିିପାରୁଛି, ଯାହାକୁ ଅଂଚଳବାସୀ ପ୍ରଶଂଶା କରିଛନ୍ତି । ଏଥିସହିତ ଆଶା ଓ ଏ.ଏନ୍.ଏମ୍ ମାନଙ୍କୁ ସେବା ପାଇଁ ନେଇ ସେମାନଙ୍କ ଦ୍ୱାର ଦେଶରେ ପହଂଚାଇ ପାରୁଛନ୍ତି । ବିଗତ ଦିନରେ ପ୍ରସବ ଯାନରେ କାର୍ଯ୍ୟରତ ଥିବା ଏହି କର୍ମଚାରୀ ମାନେ ପ୍ରସବ ଯାନ ବନ୍ଦ ହେବା ପରେ ସେମାନଙ୍କର ବୃତି ହରାଇ କରି ଆସୁଥିବା ସେବାକୁ ଜାରି ରଖିବା ପାଇଁ ଚେଷ୍ଟା କରୁଛନ୍ତି । ବୟୋବୃଦ୍ଧ ଓ ବୃଦ୍ଧା ମାନଙ୍କର ସେବା ଯତ୍ନ କରି ଏହି ଷ୍ଟାଫ୍ ନର୍ସ ମାନେ ସେମାନଙ୍କର ଆଶା ନ ଭାଙ୍ଗି ଆଜିବି ସେବା କରିବାର ଉତ୍ସାହ ନିଜ ମନରେ ରଖି କାର୍ଯ୍ୟ କରିଆସୁଛନ୍ତି । ସରକାରଙ୍କର ସ୍ୱାସ୍ଥ୍ୟ ସେବାର ପରିସର ଗ୍ରାମ ସ୍ତରରେ ଆଶା ଦିଦି ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲେ ବି ବୃଦ୍ଧବୃଦ୍ଧା ମାନଙ୍କର ଯତ୍ନ ନେବା ପାଇଁ ଘରୋଇ ବାର୍ଦ୍ଧକ୍ୟ ଚିକିତ୍ସା ସେବାର ଆଜିବି ଜରୁରୀ ଅଛି ।
ଏହି ସେବା ଯୋଗାଇବାରେ ଅନୁଷ୍ଠାନ ତରଫରୁ ସସ୍ମିତା ନାୟକ, ଅର୍ଚିତା ମଲ୍ଲିକ, ସତରୁପା ବେହେରା, ମଧୁସ୍ମିତା ଜାନୀ, ଯସୋଦା ମଲ୍ଲିକ, ଯୋତ୍ସନା କହଁର, ସ୍ୱାଗତିକା ନାୟକ, ପ୍ରିୟଦର୍ଶନୀ ଦିଗାଲ, ଜସ୍ମିତା ଜାନି, ଅଲିଭା କହଁର ଓ ରଶ୍ମିନୀ ଦିଗାଲ ସହେଯାଗ କରୁଥିବା ବେଳେ ଆଗାମି ଦିନ ଗୁଡିକରେ ଏଭଳି ସେବା ଜିଲ୍ଲାରେ ଜାରି ରହିବ ବୋଲି ଅନୁଷ୍ଠାନର ସମ୍ପାଦକ ହରି ଶଙ୍କର ରାଉତ କହିଥିବା ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ