ପଟ୍ଟାମୁଣ୍ଡାଇ, ୨୬ ଜୁଲାଇ (ହି.ସ.)- ମନ୍ମଥନାଥ ଉଚ୍ଚ ବିଦ୍ୟାଳୟ ଆମ କେନ୍ଦ୍ରାପଡା ଜିଲ୍ଲାର ଏକ ଖ୍ୟାତି ସମ୍ପର୍ଣ୍ଣ ତଥା ଏକ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଅଟେ। ଏହି ବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ସ୍କାଉଟ, ଗାଇଡ଼ ଓ ସ୍ତୁଡେଣ୍ଟ ପୋଲିସ କାଡେଟ୍ସ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ରାଉତରାୟଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥି ଭାବେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ଅଧିକାରୀ ଇନ୍ସପେକ୍ଟର ଶ୍ରୀମତୀ ବନ୍ଦନା ପାତ୍ର ଯୋଗଦେଇ କାର୍ଗିଲ ବିଜୟ ଦିବସ ମହତ୍ତ୍ୱ ଓ ଭାରତୀୟ ଯବାନ ମାନଙ୍କର ଗୁଣ ଗାନ କରିଥିଲେ। ଶିକ୍ଷାର୍ଥୀ ମାନେ ଶୃଙ୍ଖଳା ଓ ନିରନ୍ତର ଅଧ୍ୟବସାୟ କଲେ ସଫଳତା ପାଇପାରିବେ ବୋଲି ପିଲା ମାନଙ୍କୁ ବୁଝାଇଥିଲେ। କାର୍ଗିଲରେ ପ୍ରତିକୂଳ ପରିସ୍ଥିତି ସତ୍ବେ ଭାରତୀୟ ବୀର ସାହସୀ ସୈନିକ ମାନେ ନିଜ ଜୀବନକୁ ବାଜି ଲଗାଇ ନିଜ ମାତୃଭୂମିର ସୁରକ୍ଷା କିପରି କରିପାରିଥିଲେ ଏ କଥା କହି ଛାତ୍ର ଛାତ୍ରୀ ମାନଙ୍କର ଉତ୍ସାହ ବୃଦ୍ଧି କରିଥିଲେ।
ଏନସିସି ଶିକ୍ଷକ ସରୋଜ କୁମାର ସ୍ୱାଇଁ ଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରମବୀର ଚକ୍ର କ୍ୟାପ୍ଟନ ବିକ୍ରମ ବାଟ୍ରା, ମେଜର ରାଜେଶ ଅଧିକାରୀ, ପରମବିର ଚକ୍ର କାପଟେନ ମନୋଜ କୁମାର ପାଣ୍ଡେଙ୍କ ଭଳି ୫୨୭ ଜଣ ବୀର ଯବାନ ଏହି ଯୁଦ୍ଧରେ ନିଜ ଜୀବନକୁ ମା ଭାରତୀ ପାଇଁ ବଳିଦାନ ଦେଇ ଭାରତକୁ ବିଜୟ ଲାଭ କରିଥିଲେ। ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ଓ ସମସ୍ତ ଅତିଥିମାନେ ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ବିଦ୍ୟାଳୟର ସାଂସ୍କୃତିକ ସଂଯୋଜିକା ଅନିତା ଧଳ, ସ୍କାଉଟ ମାଷ୍ଟର ଅନିଲ ଦାସ , ବରିଷ୍ଠ ଶିକ୍ଷକ ଅଶୋକ କୁମାର ଦାସ ବୀର ଯବାନ ମାନେ କିଭଳି ନିଜର ବିରତ୍ୱ ପ୍ରଦର୍ଶନ କରି ଟୋଲ ଲିଂ ହିଲ, ଟାଇଗର ହିଲ ଭଳି ୧୪୦ଟି ପଏଣ୍ଟ କୁ ଶତ୍ରୁଙ୍କ କବଳରୁ ଛଡାଇ ଆଣିଥିଲେ ସେ କଥା ପିଲା ମାନଙ୍କୁ କହିଥିଲେ ଓ ଭବିଷ୍ୟତରେ ଭାରତୀୟ ସେନାରେ ଯୋଗ ଦେବା ପାଇଁ ବୁଝାଇଥିଲେ। ଭାରତୀୟ ବାୟୁସେନା ଓ ଭାରତୀୟ ନୌସେନାର ଭୂମିକା ମଧ୍ୟ ଏ ଯୁଦ୍ଧରେ ଗୁରୁତ୍ୱପୁର୍ଣ ଥିଲା ସେ କଥା ବୁଝାଇଥିଲେ। ଗାଇଡ଼ କ୍ଯାପଟେନ ରଶ୍ମିତା ତରାଇ, କ୍ରୀଡା ଶିକ୍ଷକ ଶଶାଙ୍କ ଶେଖର ସାହୁ ଓ ତପସ୍ୱିନୀ ମଲ୍ଲିକ ପ୍ରଭୃତି ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହାୟତାରେ ୩୦୦ ପିଲା ବିଶିଷ୍ଟ ଏକ ବଡ଼ ରାଲି ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରୁ ପଟ୍ଟାମୁଣ୍ଡାଇ ବଜାର ପର୍ଯ୍ୟନ୍ତ ନେଇଥିଲେ। ଭାରତ ମାତା କି ଜୟ ଧ୍ବନିରେ ଆଜି ଏକ ଅପୂର୍ବ ପରିବେଶ ସୃଷ୍ଟି ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ