ସମ୍ବଲପୁର, ୨୬ ଜୁଲାଇ (ହି.ସ.)- ବିଭିନ୍ନ ସଂସ୍ଥା, କାର୍ଯ୍ୟାଳୟ ଓ ଅଣସଂଗଠିତ କ୍ଷେତ୍ରରେ ଯୌନ ନିର୍ଯାତନା ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାର ମେଘପାଲ ଓ ଛାମୁଣ୍ଡା ପଞ୍ଚାୟତର ଅଙ୍ଗନବାଡ଼ି କର୍ମୀ, ଗୋଷ୍ଠି ସଂସାଧକ ଓ ଯୁବ କର୍ମୀମାନଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ଯୁଜୋମୁରାରେ ଆକ୍ସନଏଡ୍, ଷ୍ଟୋରୀ ଫର୍ ଚେଞ୍ଜ ଓ ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ସହଯୋଗରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଛି। ସମୁଦାୟର ମହିଳା ନେତୃତ୍ୱ ମାନଙ୍କୁ ସକ୍ଷମ କରିବା, ଏବଂ କାର୍ଯ୍ୟସ୍ଥଳରେ ମହିଳା ମାନଙ୍କ ଯୌନ ନିର୍ଯାତନା ଆଇନ (ପୋଷ ଆଇନ) ବିଷୟରେ ଯୁବତୀ ଓ ମହିଳାମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଯୁଜୋମୁରା ସିଡିପିଓ ମିନତୀ ଦାଶ ମୁଖ୍ୟଅତିଥି ଭାବରେ ଉଦ୍ବୋଧନ ଦେଇଥିଲେ। ତାଲିମ୍ ଦାତା ଭୂମିସୁତା ସାହୁ ଏହି ପ୍ରଶିକ୍ଷଣକୁ ସଂଚାଳନ କରିଥିଲେ। ଏହି ଅଭିଯାନର ଅଂଶ ଭାବରେ ଯୁଜୋମୁରା ବ୍ଲକର ୪୦ ଟି ଗାଁରେ ମହିଳା, ଯୁବତୀ ଓ ସ୍ୱୟଂ ସହାୟିକା ଗୋଷ୍ଠି ସଦସ୍ୟା ମାନଙ୍କୁ ନେଇ ଏକ ସଭା ଏବଂ ଆଲୋଚନା କରାଯିବ। କାର୍ଯ୍ୟକ୍ରମକୁ ରଶ୍ମୀତା, ସୁଜାତା ବିଜୟ ଓ ସୂର୍ଯ୍ୟ ନାରାୟଣ ଦାଶ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ