ବଲାଙ୍ଗିର, ୨୬ ଜୁଲାଇ(ହି.ସ.) –ଭାରତୀୟ ଗଣତନ୍ତ୍ର ହେଉଛି ପୃଥିବୀର ସର୍ବବୃହତ ଗଣତନ୍ତ୍ର। ଏଠାରେ ସଂସଦୀୟ ଗଣତନ୍ତ୍ରର ବ୍ୟବସ୍ଥା ରହିଛି। ଗଣତନ୍ତ୍ରର ମୂଳ ମନ୍ତ୍ର ହେଲା ଶିକ୍ଷା। ଗଣତାନ୍ତ୍ରିକ ମୂଲ୍ୟବୋଧର ଶିକ୍ଷା ଓ ବ୍ୟବସ୍ଥା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ପାଇଁ ସେଂଚୁରିଅନ ବିଦ୍ୟାଳୟର କର୍ତୁପକ୍ଷ ୟୁଥ ପାର୍ଲିଆମେଂଟର ପରିକଳ୍ପନା କରିଥିଲେ ଏବଂ ଆଜି ଏହା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ଅନୁଷ୍ଠାନର ଆଂଚଳିକ ନିର୍ଦ୍ଦେଶକ ଡ଼ ପ୍ରଦୀପ ଷଡ଼ଙ୍ଗୀଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା। ତାଙ୍କରି ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମଟି ସମ୍ପାଦିତ ହୋଇଥିଲା। ଆଂଚଳିକ ନିର୍ଦ୍ଦେଶକ ଗଣତାନ୍ତ୍ରିକ ମୂଲ୍ୟବୋଧର ଭୁମିକା ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମଟି ବିଦ୍ୟାଳୟର ଉପାଧ୍ୟକ୍ଷା ଡ଼ ପୂଣ୍ୟତୋୟା ବିଶ୍ୱାଳଙ୍କ ସଫଳ ପରିଚାଳନା ଦ୍ୱାରା ସମ୍ପାଦିତ ହୋଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତୀ, ସି.ଏଚ୍.ଏସ୍.ଇ. ବିଭାଗର ଅଧ୍ୟକ୍ଷ ଡ଼ ଅନଙ୍ଗ ଉଦୟ ନାୟକ, ଉପାଧ୍ୟକ୍ଷା ଡ଼ ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା ପ୍ରଭୃତି ଉପସ୍ଥିତ ରହି କାର୍ଯ୍ୟକ୍ରମଟିର ସଫଳ ପରିଚାଳନାରେ ସହଯୋଗ କରିଥିଲେ। ବିଦ୍ୟାଳୟର ଅଧ୍ୟାପକ ପୂଣ୍ୟମୂର୍ତି କ୍ରୀଷ୍ଟ ଦାସ, ଶିରୀସା ପତି ଓ ରମେଶ ମାଝୀ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ ଓ ପ୍ରସଙ୍ଗ ଉପସ୍ଥାପନାରେ ସହାୟତା କରିଥିଲେ। ବିଦ୍ୟାଳୟର ପ୍ରାୟ ୬୦ରୁ ଅଧିକ ଛାତ୍ରଛାତ୍ରୀ ଅଷ୍ଟମ ଶ୍ରେଣୀରୁ ଏକାଦଶ ଶ୍ରେଣୀ(ଉଭୟ କଳା ଓ ବିଜ୍ଞାନ)ର ଭାଗ ନେଇଥିଲେ। ସମସ୍ତ ଛାତ୍ରଛାତ୍ରୀ ଶାସକ ଦଳ ଓ ବିପକ୍ଷ ପରି ଦୁଇଦଳରେ ବିଭକ୍ତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂସଦରେ ଅନୁସୃତ ହେଉଥିବା ସମସ୍ତ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହୋଇଥିଲା। ଏଥିରେ ସାଂସଦମାନଙ୍କରେ ସ୍ୱାଗତ, ପରିଚୟ ପ୍ରଦାନ, ଶପଥ ସମାରୋହ, ଶୂନ୍ୟକାଳ, ପ୍ରଶ୍ନକାଳ, ବିଦେଶୀ ଅତିଥିଙ୍କର ସ୍ୱାଗତ, ବିଭିନ୍ନ ବିଲ୍ ଆଗତର ପ୍ରକ୍ରିୟା, ମିଡ଼ିଆ କର୍ମୀଙ୍କର ସ୍ୱାଗତ, ଶ୍ରେଷ୍ଠ ସାଂସଦର ଘୋଷଣା ପରି ପର୍ଯ୍ୟାୟ ଅନ୍ତର୍ଭୁକ୍ତ ଥିଲା। ଶେଷରେ ବାଚସ୍ପତି ସଂସଦ ସମାପ୍ତିର ଘୋଷଣା କରିଥିଲେ। ସଂସଦର ଆଲୋଚନାର ମୁଖ୍ୟ ବିଷୟଗୁଡ଼ିକ ଥିଲା, ଭାରତର ପହେଲାଗାଓଁ ଆକ୍ରମଣ ଉପରେ ଅପେରସନ ସିନ୍ଦୂରର ପ୍ରସଙ୍ଗ, ଚାଷୀ ଆତ୍ମହତ୍ୟା, ନୂତନ ଶିକ୍ଷାନୀତି, ଭାରତର ଭିତିଭୂମିର ବିକାଶ(ସଡ଼କ, ଗମନାଗମନ ଓ ପରିବହନ ବ୍ୟବସ୍ଥା) ଯାହା ଦର୍ଶକଙ୍କ ଦ୍ୱାରା ଖୁବ ପ୍ରଶଂସିତ ହୋଇଥିଲା। ଛାତ୍ରଛାତ୍ରୀଙ୍କର ଚିତାକର୍ଷକ ସଂଳାପ ଓ ନେତୃତ୍ୱର ଭୂମିକା ସମସ୍ତଙ୍କୁ ଆକର୍ଷିତ କରିଥିଲା। ପରିଶେଷରେ ବିଦ୍ୟାଳୟର ଅଧ୍ୟାପିକା ଶିରୀସା ପତି ଓ ରମେଶ କୁମାର ମାଝୀ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମଟିର ସମାପ୍ତି ଘୋଷଣା କରିଥିଲେ। ଅନୁଷ୍ଠାନର ୟୁଥ ପାର୍ଲିଆମେଂଟ ପରି ଅଭିନବ ପ୍ରୟାସକୁ ସହରର ସବୁ ବର୍ଗର ଲୋକ ସ୍ୱାଗତ କରିଛନ୍ତି ଓ ଏହା ନିଶ୍ଚିତ ଭାବରେ ସମସ୍ତଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ହୋଇପାରିବ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ