ଭୁବନେଶ୍ୱର, ୨୬ ଜୁଲାଇ (ହି.ସ.) - ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ହୋଇଥିବା କଂଟ୍ରାକ୍ଟ ବାତିଲ ହୋଇଛି। କାର୍ଯ୍ୟ ବିଳମ୍ବ ହେଉଥିବାରୁ ଠିକା ସଂସ୍ଥା ସିଗାଲ ଇଣ୍ଡିଆ ଓ ରଞ୍ଜିତ ବିଲ୍ଡକନ୍ ସହ କଂଟ୍ରାକ୍ଟ ବାତିଲ କରିଛି ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍। ପ୍ରାୟ ୮ ମାସ ହେଲା ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଛି। ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ନୂଆ ରୂପରେଖ ପ୍ରସ୍ତୁତ ପାଇଁ କମିଟି ହୋଇଛି। ଆନ୍ତଃମନ୍ତ୍ରିସ୍ତରୀୟ କମିଟି ମଧ୍ୟ ଗଠନ ହୋଇଛି।
ଗତକାଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଥିଲେ ମେଟ୍ରୋ ରେଳ ପ୍ରକଳ୍ପ ନେଇ କମିଟି ଥରେ ବୈଠକ କରିଛି ଆଗକୁ ପୁଣି ବୈଠକ ଏବଂ ଆଲୋଚନା କରି କେନ୍ଦ୍ରକୁ ପ୍ରସ୍ତାବ ଦିଆଯିବ। କେନ୍ଦ୍ର ସରକାରଙ୍କ ସହଯୋଗରେ ମେଟ୍ରୋ ପ୍ରକଳ୍ପ ହେବ। ପୂର୍ବ ସରକାର ଯେମିତି କରିଥିଲେ ତାହା ଭାଇବୁଲ ହେବ ନାହିଁ। ତେଣୁ ମେଟ୍ରୋ ପାଇଁ ଗଠିତ କମିଟି ବୈଠକ କରି ପ୍ରସ୍ତାବ ଦେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା