ଭଦ୍ରକ, ୮ ଜୁଲାଇ (ହି.ସ.) - ୩ ବର୍ଷ ପରେ ଜିଲାରେ ୩୨୬ ଜଣ ପ୍ରାଥମିକ ଶିକ୍ଷକଙ୍କୁ ବଦଳି କରାଯାଇଛି। ଏହାପୂର୍ବରୁ ୨୦୨୨ ମସିହାରେ ପ୍ରଶାସନର ନିର୍ଦ୍ଦେଶରେ କିଛି ଶିକ୍ଷକଙ୍କୁ ବଦଳି କରାଯାଇଥିଲା। ଜିଲାର ବହୁ ପ୍ରାଥମିକ ବିଦ୍ୟାଳୟରୁ ଜଣେ ଶିକ୍ଷକଙ୍କୁ ନେଇ ପାଠପଢା ଚାଲୁଥିବାର ଜିଲାପାଳଙ୍କ ନିକଟକୁ ଅଭିଯୋଗ ଫର୍ଦ୍ଦମାନ ଲମ୍ବିଚାଲିଥିଲା। ଫଳରେ ପିଲାଙ୍କ ପାଠପଢା ବାଧାପ୍ରାପ୍ତ ଘଟିବା ସହ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଶିକ୍ଷାଦାନ ପ୍ରକ୍ରିୟାରେ ଏଭଳି ଅବ୍ୟବସ୍ଥାର ସମାଧାନ ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶରେ ଏକ ଜିଲାସ୍ତରୀୟ କମିଟି ଗଠନ କରାଯାଇଥିଲା। ବିଦ୍ୟାଳୟ ଗୁଡିକର ଉପସ୍ଥାନ ସଂଖ୍ୟା ଅନୁଯାୟୀ ଶିକ୍ଷକ ନିଯୁକ୍ତି ସଂପର୍କରେ ଡାଟା ସଂଗ୍ରହ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଜିଲା ପ୍ରକଳ୍ପ ସଂଯୋଜକ, ବ୍ଲକ୍ ଶିକ୍ଷାଧିକାରୀ ରହିବା ସହ ଅତିରିକ୍ତ ଜିଲାପାଳ ସରୋଜ ଦତଙ୍କୁ ଏହାର ତଦାରଖ ଦାୟିତ୍ୱ ଦିଆଯାଇଥିଲା। ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ପ୍ରତି ବିଦ୍ୟାଳୟରେ ଅତି କମ୍ରେ ୨ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜିଲାର ୭ଟି ବ୍ଲକ୍ରେ ସମୁଦାୟ ୧୦୧ ଟି ଏକକ ଶିକ୍ଷକ ଥିବା ବିଦ୍ୟାଳୟ ଗୁଡିକୁ ଆଉ ଜଣେ ଅତିରିକ୍ତ ଶିକ୍ଷକଙ୍କୁ ଏବେ ନିଯୁକ୍ତି ଦିଆଯାଇଛି। ସେହିପରି ୨୨୫ ଟି ବିଦ୍ୟାଳୟରେ ଉପସ୍ଥାନ ସଂଖ୍ୟାକୁ ଦୃଷ୍ଟିରେ ରଖି ଆନୁପାତିକ ହାରରେ ଅତିରକ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବାର ଜିଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ କହିଛନ୍ତି। ଏହାବ୍ୟତୀତ ଯେଉଁ ବିଦ୍ୟାଳୟ ଗୁଡିକରେ ଉପସ୍ଥାନ ସଂଖ୍ୟା ଅନୁସାରେ ଅଧିକ ଶିକ୍ଷକ ଅଛନ୍ତି, ସେହି ବିଦ୍ୟାଳୟ ଗୁଡିକରୁ ଗରିଷ୍ଠତା ଭିତିରେ ସିନିୟର ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ କମ୍ ସଂଖ୍ୟକ ଶିକ୍ଷକ ଥିବା ବିଦ୍ୟାଳୟମାନଙ୍କରେ ନିଯୁକ୍ତି ଦିଆଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ ବାସୁଦେବପୁର ବ୍ଲକ୍ରେ ୮ ଜଣ ଏକକ ଶିକ୍ଷକ ଓ ୫୫ ଜଣଙ୍କୁ ଉପସ୍ଥାନ ସଂଖ୍ୟାନୁଯାୟୀ କମ୍ ସଂଖ୍ୟକ ଥିବା ବିଦ୍ୟାଳୟରେ ନିଯୁକ୍ତି ଦିଆଯାଇଛି। ସେହିପରି ଭଦ୍ରକରେ ୨୧ ଜଣ ଏକକ ଶିକ୍ଷକ ଓ ୮୮ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଭଣ୍ଡାରିପୋଖରୀରେ ୧୧ ଜଣ ଏକକ ଶିକ୍ଷକ ଓ ୧୩ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ବନ୍ତରେ ୯ ଜଣ ଏକକ ଶିକ୍ଷକ ଓ ୨୮ ଜଣଙ୍କୁ, ଚାନ୍ଦବାଲିରେ ୨୮ ଜଣ ଏକକ ଶିକ୍ଷକ ଓ ୨୭ ଜଣ, ତିହିଡିରେ ୧୫ ଜଣ ଏକକ ଓ ୧୨ ଜଣ ଓ ଧାମନଗର ବ୍ଲକ୍ରେ କେବଳ ୯ ଜଣ ଏକକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ଏହିସବୁ ନିଯୁକ୍ତି ଆନୁପାତିକ ହାରରେ ଦିଆଯାଇଛି ବୋଲି ଜିଲା ଶିକ୍ଷାଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ