ଚତୁର୍ଦ୍ଧାମୂର୍ତିଙ୍କ ନୀଳାଦ୍ରି ବିଜେ ଓ ରସଗୋଲା ଭୋଗ
ପୁରୀ, ୮ ଜୁଲାଇ (ହି.ସ.)- ରଥାରୂଢ଼ ଚତୁର୍ଦ୍ଧାମୂର୍ତି ସନ୍ଧ୍ୟାଧୂପ ନୀତି ପରେ ଗୋଟି ପହଣ୍ଡିରେ ନୀଳାଦ୍ରି ବିଜେ କରିଛନ୍ତି । ନୀଳାଦ୍ରି ବିଜେ ସମୟରେ ମହାପ୍ରଭୁଙ୍କୁ ରସଗୋଲା ଭୋଗ ଲାଗି ହେବା ପରମ୍ପରା ଅଛି । ପ୍ରଥମେ କୃଷ୍ଣବଳରାମ, ମଦନ ମୋହନଙ୍କୁ ଦକ୍ଷିଣ ଘରକୁ ବିଜେ କରାଯାଇଥିଲା । ପରେ ପରେ ଶ୍ରୀସୁଦ
ରସଗୋଲା ଭୋଗ


ରଥାରୂଢ଼ ଚତୁର୍ଦ୍ଧାମୂର୍ତି


ରସଗୋଲା ଭୋଗ-୨


ପୁରୀ, ୮ ଜୁଲାଇ (ହି.ସ.)- ରଥାରୂଢ଼ ଚତୁର୍ଦ୍ଧାମୂର୍ତି ସନ୍ଧ୍ୟାଧୂପ ନୀତି ପରେ ଗୋଟି ପହଣ୍ଡିରେ ନୀଳାଦ୍ରି ବିଜେ କରିଛନ୍ତି । ନୀଳାଦ୍ରି ବିଜେ ସମୟରେ ମହାପ୍ରଭୁଙ୍କୁ ରସଗୋଲା ଭୋଗ ଲାଗି ହେବା ପରମ୍ପରା ଅଛି । ପ୍ରଥମେ କୃଷ୍ଣବଳରାମ, ମଦନ ମୋହନଙ୍କୁ ଦକ୍ଷିଣ ଘରକୁ ବିଜେ କରାଯାଇଥିଲା । ପରେ ପରେ ଶ୍ରୀସୁଦର୍ଶନ, ପରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଶେଷରେ କାଳିଆ ଠାକୁରଙ୍କୁ ରତ୍ନ ସିଂହାସନକୁ ବିଜେ କରାଯାଇଥିଲା । ଚାରମାଳ ଆସିବା ପରେ ଭେଟ ମଣ୍ଡପରେ ମହାଲକ୍ଷ୍ମୀ ଓ ଜଗନ୍ନାଥଙ୍କ ଭେଟ ନୀତି କରାଯାଇଥିଲା ।

ପରମ୍ପରା ଅନୁଯାୟୀ, ଠାକୁରମାନଙ୍କ ସୁନାବେଶ ଓ ଅଧରପଣାର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଛନ୍ତି । ଶାସ୍ତ୍ରରେ ଉଲ୍ଲେଖ ରହିଛି, ଦ୍ୱାଦଶୀ ଦିନ ମହାପ୍ରଭୁ ନୀଳାଦ୍ରି ବିଜେ କରନ୍ତି, କିନ୍ତୁ ପ୍ରକୃତ ପକ୍ଷେ ଏକାଦଶୀ ଦିନ ସୁନାବେଶ, ଦ୍ୱାଦଶୀରେ ଅଧରପଣା ଓ ତ୍ରୟୋଦଶୀ ତିଥିରେ ନୀଳାଦ୍ରି ବିଜେ ହୋଇଛି । ଏହି ପରମ୍ପରା ଅନେକ ବର୍ଷ ଧରି ପାଳିତ ହୋଇଆସୁଛି । ନୀଳାଦ୍ରି ବିଜେ ପହଣ୍ଡି ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଦଇତାପତି ନିଯୋଗ ସହ ଏ ସମ୍ବନ୍ଧରେ ଆଲୋଚନା କରାଯାଇ ପହଣ୍ଡି ହୋଇଥିଲା । ଆଜି ରଥ ଉପରେ ଠାକୁରମାଙ୍କର ସନ୍ଧ୍ୟାଧୂପ ନୀତି ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧା ହୋଇଥିଲା । ଏହାପରେ ପ୍ରଥମେ ବିଜେ କାହାଳି ବାଜିବା ପରେ ବନ୍ଦାପନା ଓ ଡୋରି ଲାଗି ନୀତି ହୋଇଥିଲା । ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣି ଘରକୁ ବିଜେ କରାଇଥିଲେ । ଏହାପରେ ଗୋଟି ପହଣ୍ଡି କ୍ରମରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ହୋଇ ଗମ୍ଭୀରାକୁ ବିଜେ ହୋଇଥିଲେ । ପହଣ୍ଡି ବିଜେ ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧାଯାଇଥିଲା ଓ ଅଖଣ୍ଡ ବଇଠା ବସିଥିଲା । ଠାକୁରମାନେ ପହଣ୍ଡିରେ ଆସିବାବେଳେ ମନ୍ଦିର ପରିସରସ୍ଥ ଶୁଆଶାରୀ ଦେଉଳଠାରେ ପ୍ରସାଦ ଲାଗି, ଘସା, ବିଡ଼ିଆ ମଣୋହି ଓ ବନ୍ଦାପନା ନୀତି ବଢ଼ିଥିଲା । ଜଗମୋହନ ଠାରେ ମଧ୍ୟ ଏହି ନୀତି ପାଳିତ ହୋଇଥିଲା । ଶ୍ରୀଗୁଣ୍ଡିଚା ମନ୍ଦିର ଠାରେ ରଥ ଉପରୁ ଠାକୁରମାନେ ଗୁଣ୍ଡିଚା ଘର ରତ୍ନସିଂହାସନକୁ ପହଣ୍ଡି ବିଜେ କରିବା ସମୟରେ ରଥ ଉପରେ ଯେଉଁ ପ୍ରକାର ନୀତି ଅନୁସୃତ ହୋଇଥାଏ, ଠିକ୍ ସେହିପରି ସିଂହଦ୍ୱାରଠାରେ ନିଳାଦ୍ରୀ ବିଜେ ପହଣ୍ଡିରେ ସମନୀତି ପାଳିତ ହୋଇଥିଲା । ଶ୍ରୀ ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରିବା ପରେ ଲକ୍ଷ୍ମୀ ଠାକୁରାଣୀ ଭେଟ ମଣ୍ଡପକୁ ଆସିଥିଲେ । ଉଭୟ ଜଗନ୍ନାଥ ଓ ଲକ୍ଷ୍ମୀ ଠାକୁରାଣୀ ପରସ୍ପରକୁ ଭେଟ ହୋଇଥିଲେ । ଏହାପରେ ଲକ୍ଷ୍ମୀଙ୍କ ତରଫରୁ ଭିତରଚ୍ଛ ବନ୍ଦାପନା ନୀତି ବଢ଼ାଇଥିଲେ । ଏହି ସମୟରେ ପରମ୍ପରା ଅନୁଯାୟୀ ମହାପ୍ରଭୁ ସିଂହଦ୍ୱାର ନିକଟରେ ପହଂଚିବା ବେଳେ ସାମୟିକ ଭାବେ ଦ୍ୱାର ବନ୍ଦ ରହିଥିଲା ଓ କିଛି କ୍ଷଣ ପରେ ଦ୍ୱାର ଖୋଲିଥିଲା । ପୁଣିଥରେ ଜଗନ୍ନାଥ ମହାପ୍ରଭୁ ଜୟ ବିଜୟ ଦ୍ୱାର ନିକଟରେ ବିଜେ କରିବା ସମୟରେ ଉକ୍ତ ଦ୍ୱାର ଭିତର ପଟୁ ବନ୍ଦ କରାଯାଇଥିଲା ।

ଲକ୍ଷ୍ମୀ ଠାକୁରାଣୀଙ୍କ ତରଫରୁ ଜୟ ବିଜୟ ଦ୍ୱାରର ଭିତର ପଟେ ଜନୈକ ଦେବଦାସୀ ଏବଂ ମହାପ୍ରଭୁଙ୍କ ତରଫରୁ ଜଣେ ଦଇତାପତି ଦ୍ୱାରର ଅପରପାର୍ଶ୍ୱରେ ରହିବା ସଙ୍ଗେ ସଙ୍ଗେ ଉଭୟଙ୍କ ମଧ୍ୟରେ ଲୋକ ପରମ୍ପରାଗତ ବଚନିକା ପରେ ଜୟ ବିଜୟ ଦ୍ୱାର ଫିଟିଥିଲା । ଏହାପରେ ଗଇଁଠାଳ (ଋକ୍ମିଣୀ ବିବାହ କାଳର) ଫିଟାଯାଇଥିଲା ଓ ବନ୍ଦାପନା କରାଯାଇଥିଲା । ମହାପାତ୍ରଙ୍କ ଦ୍ୱାରା ରସଗୋଲା ଭୋଗ ଭିତରକୁ ସମାହିତ ହୋଇଥିଲା । ଏହାପରେ ଘସା, ବିଡ଼ିଆ ମଣୋହି ସରିଲେ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିଥିଲେ । ବର୍ଷକୁ ଗୋଟିଏ ଦିନ ଶ୍ରୀମନ୍ଦିର ଭିତରେ ନୀଳାଦ୍ରିବିଜେ ସମୟରେ ଜଗନ୍ନାଥ ମହାପ୍ରଭୁଙ୍କୁ ରସଗୋଲା ଭୋଗ ଲାଗି କରାଯାଇଥିଲା । ଭିତରଚ୍ଛ ମହାପାତ୍ରଙ୍କ ନିଜସ୍ୱ ଗୃହରେ ଅତ୍ୟନ୍ତ ଶୁଦ୍ଧ ପୂତ ଭାବରେ ଏହି ରସଗୋଲା ତିଆରି କରିଥିଲେ । ପରମ୍ପରା ଅନୁସାରେ ବିଭିନ୍ନ ମଠ ଏବଂ ସେବକ ନିଯୋଗ ପକ୍ଷରୁ ପ୍ରଭୁଙ୍କୁ ପଂକ୍ତିଭୋଗ ଭାବେ ରସଗୋଲା ଭୋଗ କରାଯାଇଥିଲା ।

ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଯାୟୀ, ଆଜି ସଂନ୍ଧ୍ୟା ୭ଟା ୨୦ ରେ ରଥ ଉପରେ ପୁଷ୍ପାଞ୍ଜଳି ଏବଂ ୭ଟା ୨୫ ରେ ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଏହାପରେ ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତି ରତ୍ନ ସିଂହାସନକୁ ବିଜେ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande