ଧର୍ମଶାଳା, ୮ଜୁଲାଇ (ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ କୋତପୁର ନିବାସୀ ଡ଼. ରାଜକିଶୋର ପାଢ଼ୀଙ୍କୁ କେନ୍ଦ୍ର ବାଲ ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରଦାନ କରାଯିବା ପାଇଁ ଚୟନ କରାଯାଇଛି । ଏଥିନେଇ ଡ. ପାଢ଼ୀଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଉଛି । ଡ. ପାଢୀ ଅଚ୍ୟୁତପୁରସ୍ଥିତ ଦାମୋଦର ବିଦ୍ୟାପୀଠରୁ ଶିକ୍ଷକତା କରି ଅବସର ନେଇଥିବା ବେଳେ ସ୍କୁଲର ପୁରାତନ ଛାତ୍ର ସଂସଦ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଛାତ୍ର ସଂସଦର ସଭାପତି ପ୍ରଶାନ୍ତ କୁମାର ଗନ୍ତାୟତଙ୍କ ଅଧ୍ୟକ୍ଷତାରେ ସ୍କୁଲ ପରିସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ତମ୍ଭକାର ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ମନୋରଞ୍ଜନ ମହାନ୍ତି ଯୋଗଦେଇ ଡ଼. ପାଢ଼ୀଙ୍କ ସ୍ୱଲିଖିତ ୮୦ ଖଣ୍ଡ ପୁସ୍ତକର ସମୀକ୍ଷା କରିବା ସହ ଉଚ୍ଚକୋଟୀର ଲେଖାକୁ ଭୂୟଂସୀ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ନରେନ୍ଦ୍ର ଚନ୍ଦ୍ର ରାଉତ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରତ୍ନାକର ନାୟକ, ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ତନୁଜା ଦାଶ, ପ୍ରଧାନ ଶିକ୍ଷୟତ୍ରୀ ମନୋସ୍ୱିନୀ ଆଇଚ, ସମାଜସେବୀ କାହ୍ନୁଚରଣ ଦାଶ ଯୋଗଦେଇ କେନ୍ଦ୍ରୟ ବାଲ୍ ସାହିତ୍ୟ ପୁରସ୍କାର ପାଇବାକୁ ଚୟନ ହୋଇଥିବା ଡ଼କ୍ଟର ପାଢ଼ୀଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ମୁଖ୍ୟଅତିଥି ଶ୍ରୀ ମହାନ୍ତି ଡ଼. ପାଢ଼ୀଙ୍କୁ ମାନପତ୍ର, ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ପ୍ରଦତତ୍ତ ମାନପତ୍ରକୁ ପ୍ରଶାନ୍ତ କୁମାର ପଣ୍ଡା ପାଠ କରିଥିଲେ । ଅନୁଷ୍ଠାନ ସମ୍ପାଦକ ଅଶୋକ କୁମାର ବେହେରା ସୂଚନା ପ୍ରଦାନ କରିଥିବା ବେଳେ ଛାତ୍ର ସଂସଦର ବରିଷ୍ଠ ସଦସ୍ୟ ତଥା ଶିଶୁ ସାହିତ୍ୟିକ ଦୀନବନ୍ଧୁ କର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ସମ୍ବର୍ଦ୍ଧନା ଉତରରେ ଡ଼. ପାଢ଼ୀ ଧର୍ମଶାଳା ମାଟି ସାହିତ୍ୟିକ ସୃଷ୍ଟି କରିବାରେ ରାଜ୍ୟରେ ପରିଚିତ ହୋପାରିଛି । ଏହି ସ୍କୁଲରେ ଶିକ୍ଷାଦାନ ସମୟରେ ଶିଶୁମାନଙ୍କ ମନତତ୍ୱକୁ ନେଇ ଅନେକ ଶିଶୁ କବିତା ରଚନା କରିଥିଲେ ବୋଲି ଡ. ପାଢୀ କହିଥିଲେ । ସେ ୮୦ଟି ପୁସ୍ତକ ରଚନା କରିଥିବା ବେଳେ ସେଥିରୁ ୨୦୨୩ ମସିହାରେ ପ୍ରକାଶିତ ‘କେତେ ଫୁଲ ଫୁଟିଛି’ ଶିଶୁ କବିତା ସଂଙ୍କଳନ ପାଇଁ କେନ୍ଦ୍ର ବାଲ ସାହିତ୍ୟ ପୁରସ୍କାର ଯୋଗ୍ୟ ବିବେଚିତ ହୋଇଛନ୍ତି । ଛାତ୍ର ସଂସଦ ସଦସ୍ୟ ସରୋଜ କୁମାର ପାଢ଼ୀ, ଦିଗ୍ବିଜୟୀ ରାଉତ, ଜୟପ୍ରକାଶ ରାଉତ, ରାମଚନ୍ଦ୍ର ସେଠୀ, ପ୍ରକାଶ ଶତପଥୀ ପ୍ରମୁଖ ସହାୟତା କରିଥିବା ବେଳେ ଶେଷରେ ପ୍ରଦୀପ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ