ଖୋର୍ଦ୍ଧା, ୯ ଜୁଲାଇ (ହି.ସ.) - ୧୦ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ଶ୍ରମିକ ସଙ୍ଗଠନର ମିଳିତ ଡାକରାରେ ବୁଧବାର ଭାରତ ବନ୍ଦ କରାଯାଇଛି। ଶ୍ରମିକ ନୀତି, କୃଷି ବିରୋଧ ନୀତି, ମାଇନ୍ସ, କୋଇଲା କାରଖାନାରେ ଶ୍ରମିକ ବିରୋଧୀ କାର୍ଯ୍ୟକୁ ନେଇ ଏହି ଧର୍ମଘଟ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ଏହାର ପ୍ରଭାବ କିଛି ମାତ୍ରାରେ ପଡ଼ିଛି। ସକାଳେ ସିଆଇଟିୟୁର ଜିଲ୍ଲା ସଭାପତି ଶୈଳେଶ ବଳିଆରସିଂହଙ୍କ ନେତୃତ୍ୱରେ ଶତାଧିକ ଶ୍ରମିକ ନୂଆ ବସଷ୍ଟାଣ୍ଡରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହିତ ଜୟୀ ରାଜଗୁରୁ ଟାଉନ ହଲ ସମ୍ମୁଖ ପ୍ରାଣନାଥ ପଟ୍ଟନାୟକଙ୍କ ପ୍ରତିମୂର୍ତି ତଳେ ବିକ୍ଷୋଭ କରିବା ସହ ବିଭିନ୍ନ ଶ୍ରମିକ ବିରୋଧୀ ନୀତିକୁ ବିରୋଧ କରି ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଛକରେ ପ୍ରାୟ ୨ଘଂଟା ପର୍ଯ୍ୟନ୍ତ ବିକ୍ଷୋଭ କରିଥିଲେ। ଏଥିରେ ସିଆଇଟିୟୁର ପୂର୍ବତନ ସଭାପତି ଅନନ୍ତ ମଙ୍ଗରାଜ,ଅଶୋକ ସାହୁ, ଜୟନ୍ତ ମହାନ୍ତିଙ୍କ ସମେତ ଅନ୍ୟ ସଦସ୍ୟଙ୍କ ସହ ଶ୍ରମିକମାନେ ସାମିଲ ଥିଲେ। ଅନ୍ୟପଟେ ସକାଳୁ ଟ୍ରେନ୍ ଚଳାଚଳ ସ୍ୱାଭାବିକ ଥିବାବେଳେ ସରକାରୀ ଓ ଘରୋଇ ବସ୍ ସବୁ ବନ୍ଦ ରହିଛି। ସେହିଭଳି କିଛି ସରକାରୀ ସ୍କୁଲ ବନ୍ଦ ଥିବାବେଳେ ଘରୋଇ ସ୍କୁଲ୍, ବ୍ୟାଙ୍କ୍, ଦୋକାନ ବଜାର ଖୋଲା ରହିଛି। ଫଳରେ ସହରରେ ଧର୍ମଘଟର ଆଂଶିକ ପ୍ରଭାବ ପଡ଼ିଥିଲା।
ହିନ୍ଦୁସ୍ଥାନ ସମାଚାର/ରାକେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ରାକେଶ