ଭୁବନେଶ୍ୱର, 9 ଜୁଲାଇ (ହି.ସ.)
ଓଡ଼ିଶାର ଆକାଂକ୍ଷୀ ଜିଲ୍ଲା କନ୍ଧମାଳର ପବିଙ୍ଗିଆ ଗ୍ରାମର କନ୍ଧ ଜନଜାତିର ୪୩ ବର୍ଷୀୟା କୁସୁମ କହ୍ନର ନିଜର ପାରମ୍ପରିକ କାଠ ଖେଳନା ତିଆରି ସହିତ ଧାନ ଓ ପନିପରିବା ଚାଷ ମାଧ୍ୟମରେ ନିଜପାଇଁ ଗଢି ତୋଳିଛନ୍ତି ଏକ ସ୍ଥାୟୀ ଏବଂ ଆର୍ଥିକ ଭାବେ ସଶକ୍ତ ଜୀବନ ।
ସମୟ ଥିଲା ଯେବେ କୁସୁମ ସ୍ୱଳ୍ପ ଜମି ଓ ନିୟମିତ ଆୟ ଅଭାବରେ ପରିବାରର ଭରଣ ପୋଷଣ ତଥା ନିଜ ସନ୍ତାନଙ୍କ ପାଇଁ ଏକ ସୁରକ୍ଷିତ ଭବିଷ୍ୟତ ସୃଷ୍ଟି କରିବା ପାଇଁ ସଂଘର୍ଷ କରୁଥିଲେ । କିନ୍ତୁ ତାଙ୍କ ପାଖେ ଥିଲା ପାରମ୍ପରିକ ଜ୍ଞାନ କୌଶଳରେ ପାରମ୍ପରିକ କାଠ ତିଆରି ଖେଳନା ପ୍ରସ୍ତୁତ କରିବାର ଲୁକ୍କାୟିତ କଳା । ପ୍ରାରମ୍ଭରେ ସମୟ ଅତିବାହିତ କରିବାପାଇଁ ପ୍ରସ୍ତୁତ କରୁଥିବା ଏହି କାର୍ଯ୍ୟ ଏବେ ପଶୁ, ଗ୍ରାମୀଣ ଜୀବନ ଓ ଆଦିବାସୀ ସଂସ୍କୃତିର ପରିଚିତ୍ରଣ କରୁଥିବା ହସ୍ତଶିଳ୍ପ ଉଦ୍ୟୋଗରେ ପରିଣତ ହୋଇଛି ତାଙ୍କର ଏକ ଜୀବନ ଜୀବିକାର ଉତ୍ସ ପାଲଟିଛି ।
ଓଡ଼ିଶା ଜୀବିକା ମିଶନ ମାଧ୍ୟମରେ ଆବର୍ତ୍ତନ ପାଣ୍ଠି ଏବଂ ସୁଭଦ୍ରା ଯୋଜନାର ସହାୟତାରେ ସେ ତାଙ୍କର ଏହି ଉଦ୍ୟୋଗକୁ ବିସ୍ତାରିତ କରିଛନ୍ତି । ଏଥି ସହିତ ଧାନ ଚାଷ ଓ ପନିପରିବା ଉତ୍ପାଦନ ଏବଂ ତାହାର ବିକ୍ରୟ ମାଧ୍ୟମରେ ସେ ନିଜପାଇଁ ଏକ ବହୁମୁଖୀ ତଥା ସ୍ଥାୟୀ ଆୟର ଉତ୍ସ ସୃଷ୍ଟି କରିଛନ୍ତି । ଆଜି ତାଙ୍କର ବାର୍ଷିକ ଆୟ ୨.୫ ଲକ୍ଷ ଟଙ୍କାରେ ପହଞ୍ଚିଛି, ଯାହା ଏକ ଅସାଧାରଣ ଉପଲବ୍ଧି ।
କିନ୍ତୁ କୁସୁମଙ୍କ ପ୍ରଭାବ ତାଙ୍କ ନିଜ ଘର ପରିବାର ପର୍ଯ୍ୟନ୍ତ ସୀମିତ ନୁହେଁ । ସାମୂହିକ ଉନ୍ନତିକୁ ଦୃଷ୍ଟିରେ ରଖି, ସେ ନିଜ ଗାଁର ଅନ୍ୟ ଛଅ ଜଣ ମହିଳାଙ୍କୁ ମଧ୍ୟ ଜୀବନ ଜୀବିକା ଯୋଗାଇ ଦେଇଛନ୍ତି, ସେମାନଙ୍କୁ ଖେଳନା ତିଆରି ଶିଖାଇ ଏକ ସ୍ଥାନୀୟ ସଂସ୍କୃତି-ଭିତ୍ତିକ ଉଦ୍ୟୋଗ ଗଠନ କରିଛନ୍ତି । ସେମାନେ ସ୍ଥାନୀୟ ବଜାରରେ ବିକ୍ରୟ ପାଇଁ ଖେଳନା ପ୍ରସ୍ତୁତ କରିବା ସହ ପ୍ରଦର୍ଶନୀ ଓ ମେଳାରେ ମଧ୍ୟ ଭାଗ ନିଅନ୍ତି, ଯେଉଁଠାରେ ସେମାନଙ୍କର ସୃଜନ, ଆଦିବାସୀ କଳା ଓ ସଶକ୍ତିକରଣର ପ୍ରତୀକ ଭାବେ ପ୍ରଶଂସିତ ହୁଏ ।
ନିଜ କାର୍ଯ୍ୟରୁ ପ୍ରାପ୍ତ ଆୟରେ କୁସୁମ ଏକ ପକ୍କା ଘର ତୋଳିଛନ୍ତି ଓ ନିଜ ସନ୍ତାନଙ୍କୁ ଉଚ୍ଚ ଶିକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି, ଦୁଇ ଜଣ ଏବେ ମହାବିଦ୍ୟାଳୟରେ ପଢ଼ୁଛନ୍ତି ଏବଂ ସବୁଠାରୁ କନିଷ୍ଠ ଏବେ ବିଦ୍ୟାଳୟରେ ଅଧ୍ୟୟନରତ । ତାଙ୍କର ଏହି ଅଭୂତପୂର୍ବ ଯାତ୍ରା ଦର୍ଶାଏ ଯେ ପାରମ୍ପରିକ ଦକ୍ଷତା, ସମୟାନୁଯାୟୀ ଆର୍ଥିକ ସହାୟତା ଓ ବଜାର ସଂଯୋଗୀକରଣ ପ୍ରକୃତ ଆର୍ଥିକ ଉନ୍ନତି ସାଧନ କରିପାରେ । ଜଣେ ଲକ୍ଷପତି ଦିଦି ଭାବେ, କୁସୁମ ନିଜ ଜନଜାତିର ସାଂସ୍କୃତିକ ପରିଚୟ ସଂରକ୍ଷଣ କରୁଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ଜୀବିକାର ସୁଯୋଗ ସୃଷ୍ଟି କରୁଛନ୍ତି । ତାଙ୍କର ସଫଳତା ଏକ ଜ୍ୱଳନ୍ତ ଉଦାହରଣ ଯେ କିପରି ଗ୍ରାମୀଣ ଓ ଆଦିବାସୀ ସମ୍ପ୍ରଦାୟର ମହିଳାମାନେ ସଶକ୍ତ ହେଲେ ସେମାନଙ୍କ ମାଧ୍ୟମରେ ସାମାଜିକ-ଆର୍ଥିକ ପରିବର୍ତ୍ତନ ସୃଷ୍ଟି ହୋଇପାରିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା