କେନ୍ଦୁଝର, ୧୦ ସେପ୍ଟେମ୍ବର(ହି.ସ.) – ଆଦିବାସୀ କଲ୍ୟାଣ ଏବଂ ବିକାଶ ପଦକ୍ଷେପରେ ନିୟୋଜିତ ଆଗଧାଡ଼ିର କର୍ମଚାରୀ ଏବଂ ଅଧିକାରୀଙ୍କ କ୍ଷମତାକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦେଇ କେନ୍ଦୁଝର ଜିଲ୍ଲାରେ ଆଦି କର୍ମଯୋଗୀ ଅଭିଯାନର ସଫଳ କାର୍ଯ୍ୟାନ୍ୱୟନ ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ପରିଷଦ କେନ୍ଦୁଝର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଶିବଶଙ୍କର ମିଶ୍ର ପରିଚାଳନା କରିଥିଲାବେଳେ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଶୁଭଦର୍ଶୀ ଯୋଶୀ ଓ ଏସିଏଫ ଶ୍ରୀ ଅଶୋକ ଦାସଙ୍କ ସମେତ ଅନ୍ୟ ଜିଲ୍ଲା କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ।
ପ୍ରଭାବଶାଳୀ ସେବା ପ୍ରଦାନ ଏବଂ ଅଂଶଗ୍ରହଣମୂଳକ ଶାସନ ମାଧ୍ୟମରେ ଆଦିବାସୀ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଏହି ଅଭିଯାନକୁ କେନ୍ଦୁଝରରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ତାଲିମ ସମୟରେ, ତାଲିମଦାତାମାନେ ଅଭିଯାନର ଉଦ୍ଦେଶ୍ୟ, ପ୍ରସାର ପାଇଁ ରଣନୀତି ଏବଂ କାର୍ଯ୍ୟାନ୍ୱୟନରେ ସ୍ୱଚ୍ଛତା ଏବଂ ଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ସର୍ବୋତମ ଅଭ୍ୟାସ ଉପରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକ ଅଧିକାରୀ ଏବଂ କ୍ଷେତ୍ରସ୍ତରୀୟ କାର୍ଯ୍ୟକର୍ତାମାନେ ଅଂଶଗ୍ରହଣ କରିଥିଲେ। ଦକ୍ଷତା ବୃଦ୍ଧି, ସମ୍ପ୍ରଦାୟ ସମ୍ପୃକ୍ତି ଏବଂ ପ୍ରଗତି ତଦାରଖ ପାଇଁ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଉପରେ ଅଧିବେଶନ ଅନୁଷ୍ଠିତ ହୋଇଥିଲା।
କେନ୍ଦୁଝର ଜିଲ୍ଲାର ୮୦୭ ଗୋଟି ଜନଜାତି ବହୁଳ ଗ୍ରାମରେ ତୃଣମୂଳ ସ୍ତରରେ କିଭଳି ଲୋକମାନଙ୍କ ଦକ୍ଷତା ବୃଦ୍ଧି, ନେତୃତ୍ୱ ନେବାର ଦକ୍ଷତା, ସହଭାଗିତାରେ ଉନ୍ନତିମୂଳକ କାର୍ଯ୍ୟ ସମ୍ପାଦନ ଓ ବିଭିନ୍ନ ବିଭାଗ, ସଂସ୍ଥାଗୁଡ଼ିକ ସହିତ ସମନ୍ୱୟ ରକ୍ଷାକରି ବିକାଶ ମୂଳକ କାର୍ଯ୍ୟ କରି ଗ୍ରାମଗୁଡିକୁ ଆଦର୍ଶ ଗ୍ରାମରେ ପରିଗଣିତ କରାଯିବ ସେ ନେଇ ଲକ୍ଷ୍ୟ ରଖାଯାଇଛି।
ସୂଚନାଯୋଗ୍ୟ ଆଦି କର୍ମଯୋଗୀ ଅଭିଯାନ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ, ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, ସଂଖ୍ୟାଲଘୁ ସମ୍ପ୍ରଦାୟ, ପଛୁଆବର୍ଗ ବିଭାଗ ଆନୁକୂଲ୍ୟରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, କେନ୍ଦୁଝରଙ୍କ ଦ୍ୱାରା ଏହା ଆୟୋଜିତ ହେଉଛି।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA