ମାଲକାନଗିରି, ୧୦ ସେପ୍ଟେମ୍ବର (ହି.ସ.) - ଆହାର ପାଇଁ ଯେପରି କୌଣସି ବ୍ୟକ୍ତିକୁ ସଂଘର୍ଷ କରିବାକୁ ନପଡେ ସେଥିପାଇଁ ଗରିବ ଓ ଅସହାୟଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ପିଡିଏସ୍ ବ୍ୟବସ୍ଥାରେ ଚାଉଳ ଏବଂ ମାଣ୍ଡିଆ ଯୋଗାଇ ଦେଉଛନ୍ତି । ତେବେ ତୃଣମୂଳ ସ୍ତରରେ କିନ୍ତୁ ଏହାର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ, ଗରିବ ଓ ଅସହାୟ ଲୋକେ ଦଲାଲଙ୍କ କବଜାରେ ପଡି ମାସକ ପାଇଁ ମିଳୁଥିବା ଏହି ଚାଉଳ ଏବଂ ମାଣ୍ଡିଆ ବିକ୍ରି କରୁଥିବା ଚିତ୍ର ଦେଖିବାକୁ ମିଳିଛି । ଏଭଳି ଘଟଣା କାଲିମେଳା ବ୍ଲକ ତେଲେରାଇ ପଂଚାୟତ ସଦର ମହକୁମାରେ ଦେଖିବାକୁ ମିଳିଥିଲା । ପଂଚାୟତ ସମ୍ମୁଖରୁ ମାତ୍ର ୧୦୦ ମିଟର ଦୁରରେ ଥିବା ଏକ ଗୃହ ରେ ଗଚ୍ଛିତ କରି ଦଲାଲ ମାନେ ଖୋଲାଖୋଲି ଭାବେ ଏହି ପିଡିଏସ୍ ମାଣ୍ଡିଆ ଓ ଚାଉଳ ଖରିଦ କରୁଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ବିଡମ୍ବନାର ବିଷୟ ପାଲଟିଛି। ପ୍ରତିଥର ଚାଉଳ ଏବଂ ମାଣ୍ଡିଆ ଦେବା ସମୟରେ ଉକ୍ତ ବ୍ୟକ୍ତି ମାନେ ଲୋକଙ୍କ ଠାରୁ ୧୮ ରୁ ୨୦ ଟଙ୍କା ଦରରେ ଖରିଦ କରି ବଡ଼ ବ୍ୟବସାୟୀଙ୍କୁ ଅଧିକ ଅର୍ଥ ରେ ବିକ୍ରି କରି ଲାଭବାନ ହେଉଥିବା ଜଣାପଡ଼ିଛି । ଏପରି ସ୍ଥିତିରେ ଗରିବ ଓ ଅସହାୟଙ୍କ ପାଇଁ ଆସୁଥିବା ପିଡିଏସ୍ ଚାଉଳ ଏବଂ ମାଣ୍ଡିଆ ବଂଟନ ସମୟରେ ବ୍ୟବସାୟ କରୁଥିବା ଦଲାଲ୍ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ