ଭୁବନ, ୧୦ ସେପ୍ଟେମ୍ବର(ହି.ସ.) – ଭୁବନର ଐତିହାସିକ, ପାରମ୍ପରିକ ତଥା ଗଣ ପର୍ବ ଭାବେ ପ୍ରସିଦ୍ଧି ଲାଭ କରିଥିବା ଦଶହରା ବଳଦ ଯାତ୍ରା ଉପଲକ୍ଷେ ଏନ୍ଏସି ସଭା ଗୃହରେ ବୁଧବାର ଅପରାହ୍ନରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶାନ୍ତି କମିଟି ମୁଖ୍ୟ କାମାକ୍ଷା ନଗର ଉପ ଜିଲ୍ଲାପାଳ ଦିନମଣି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ,କାମାକ୍ଷା ନଗର ଏସ୍ଡିପିଓ ରଜନୀ କାନ୍ତ ସାମଲ ଏନ୍ଏସି ନିର୍ବାହୀ ଅଧିକାରୀ ପ୍ରଦତ ସାହୁ, ଥାନାଧିକାରୀ ଜିତେନ୍ଦ୍ର ମଲ୍ଲିକ, ବିଦ୍ୟୁତ୍ ବିଭାଗ ଆସିଷ୍ଟାଂଟ ମ୍ୟାନେଜର ନଳିନୀ ଶଙ୍କର ରଥ,ଦଶହରା ବଳଦ କମିଟି ସଭାପତି ଦିଲ୍ଲୀପ କୁମାର ଦାସ, ପଣ୍ଡିତ ମାତୃ ପ୍ରସାଦ ମିଶ୍ର,ବଳଦ ଯାତ୍ରା ସ୍ରଷ୍ଟା ଥୋରିଆ ସମାଜ ମୁଖ୍ୟ ବିଶ୍ୱନାଥ ସାହୁ, ନୂଆ ବଜାର ବଣିକ ସଂଘ ସଂପାଦକ ବସନ୍ତ କୁମାର ପୋଥାଳ, ନିରଞ୍ଜନ ପୃଷ୍ଟି,କୁଞ୍ଜ ବିହାରୀ ଚିନରା, ସନ୍ତୋଷ ବିହାରୀ, ନିରଞ୍ଜନ ଗୁରୁ, ଅଜୟ କୁମାର ସେଠୀ, କାଉନସିଲର ଗିରିଧାରୀ ସାହୁପପୁ କୁମାର ସାହୁ, ସୁଶାନ୍ତ ନାୟକ, ମନମୋହନ ସାହୁଙ୍କ ସମେତ ସମସ୍ତ ବଳଦିଆ କମିଟି ଓ ଦୁର୍ଗାପୂଜା କମିଟି ସଦସ୍ୟ ଯୋଗଦେଇ ବଳଦ ଯାତ୍ରା, ରାବଣ ପୋଡ଼ି ଓ ଦୁର୍ଗା ମେଢ଼ ଭସାଣି ଯାତ୍ରାକୁ ଅତ୍ୟନ୍ତ ସରସ ସୁନ୍ଦର ଓ ଶୃଙ୍ଖଳିତ ଭାବେ ଶେଷ କରିବା ସହିତ ଡି ଜେ ସାଉଣ୍ଡ ବନ୍ଦ କରିବାକୁ ଆଲୋଚନା କରିଥିଲେ। ଦଶହରା ପୂର୍ବରୁ ସହରର ସମସ୍ତ ରାସ୍ତା ପ୍ରଶସ୍ତ କରାଯିବା, ଡ୍ରେନ ମରାମତି ଓ ସ୍ଲାବ ପକାଯିବା, ପ୍ରତ୍ୟେକ ବିଦ୍ୟୁତ ଖୁଂଟରେ ଲାଇଟ୍ ଲଗାଯିବା, ଯାତ୍ରାରେ ଲକ୍ଷାଧିକ ଯାତ୍ରୀଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ଶୌଚାଳୟ ଖୋଲାଯିବା ସହିତ ଅସ୍ଥାୟୀ ଶୌଚାଳୟ ମଧ୍ୟ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଚଳିତ ବର୍ଷ ୨୮ ତାରିଖ ଷଷ୍ଠୀ ପୂଜା ଠାରୁ ଅକ୍ଟୋବର ୩ ତାରିଖ ଭସାଣି ଯାତ୍ରା କୁ ଅତ୍ୟନ୍ତ ସରସ ସୁନ୍ଦର ଓ ଶୃଙ୍ଖଳିତ ଭାବେ ପରିଚାଳିତ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ୩ ତାରିଖ ସନ୍ଧ୍ୟା ୭ ଘଟିକା ସୁଦ୍ଧା ରାବଣ ପୋଡ଼ି ଶେଷ କରିବାକୁ ଜୋର୍ ଦିଆଯାଇଥିଲା। ୪ ତାରିଖ ସକାଳ ୭ ଘଟିକା ସୁଦ୍ଧା ବଳଦ ଯାତ୍ରା ଓ ଦୁର୍ଗା ଭସାଣୀ ଶେଷ କରିବାକୁ ନିଷ୍ପତି ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର/ସୁଶାନ୍ତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି