ସମ୍ବଲପୁର, ୧୦ ସେପ୍ଟେମ୍ବର(ହି.ସ.) – ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ କେନାଢିପା ପଂଚାୟତ ସ୍ଥିତ ବିଞ୍ଜିପାଲି ରାଜୀବ ଭବନ ପରିସରରେ ଆଜି ଶ୍ରୀଅନ୍ନ ଅଭିଯାନ କ୍ରମେ ସଘନ ପଦ୍ଧତିରେ ମାଣ୍ଡିଆ ଚାଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ସମନ୍ୱିତ ବିକାଶ ପ୍ରତିଷ୍ଠାନ(ସିଡି)ର ଆର୍ôଥକ ଅନୁଦାନ ଓ ଶଗଡ଼େଶ୍ୱର ଆଗ୍ରୋ ପ୍ରଡ୍ୟୁସର କମ୍ପାନୀ ସହାୟତାରେ ଏହି ପ୍ରଶିକ୍ଷଣ ଶିବିର ପରିଚାଳନା ହୋଇଥିଲା। ଏହି ପ୍ରଶିକ୍ଷଣ ଶିବିରରେ ସମ୍ବଲପୁର ଜିଲ୍ଲା କୃଷି ଅଧିକାରୀ ପ୍ରସନ୍ନ କୁମାର ସ୍ୱାଇଁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ମିଲେଟର ପୋଷକ ତତ୍ୱ, ବଜାର ସମ୍ଭାବନା ଓ ଏହାର ଜଳବାୟୁ ପ୍ରତିରୋଧକ ଗୁଣବତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ କେନାଢିପା ସରପଂଚ କଲ୍ୟାଣୀ ନାଏକ, ନାଏବ ସରପଂଚ ବନମାଳୀ ଧାରୁଆଙ୍କ ସମେତ ବିଭିନ୍ନ ୱାର୍ଡ଼ର ସଭ୍ୟସଭ୍ୟାମାନେ ଯୋଗଦାନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ଏଫ୍ପିଓର ସିଇଓ ଗୋପବନ୍ଧୁ ସାହୁ ମିଲେଟର ବଜାର ବ୍ୟବସ୍ଥା ଏବଂ ଶ୍ରୀଅନ୍ନ ଅଭିଯାନର ସଂଯୋଜକ ରାହୁଲ ରୋଷନ ପ୍ରଧାନ ଏବଂ ସହ ସଂଯୋଜକ ଅନୀଲ କୁମାର ଜେନା ମିଲେଟ ଚାଷର ଉପକାରୀତା ଉପରେ ସଚେତନ କରାଇଥିଲେ। ପ୍ରଶିକ୍ଷଣରେ କ୍ଷେତ୍ର ପରିଦର୍ଶକ ଅକ୍ଷୟ ଦେହୁରୀ ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରଶିକ୍ଷଣ ଶେଷରେ ରମେଶ କୂମୁରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ କେନାଢିପା ପଂଚାୟତର ନକଟିପାଲି, ବେଲୁଆମାଲ, ସର୍ବେ ଓ ଫୁଲଚାଙ୍ଗୁଡ଼ି ଗ୍ରାମର ଶତାଧିକ ଚାଷୀ ଓ ଉତ୍ସାହୀ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ