ଉତ୍ସର୍ଗ ଅନୁଷ୍ଠାନର ୪୧ତମ ବାର୍ଷିକ ଉତ୍ସବ
ଉତ୍ସର୍ଗ ଅନୁଷ୍ଠାନର ୪୧ତମ ବାର୍ଷିକ ଉତ୍ସବ
ଉତ୍ସର୍ଗ ଅନୁଷ୍ଠାନର ୪୧ତମ ବାର୍ଷିକ ଉତ୍ସବ


ସମ୍ବଲପୁର, ୧୦ ସେପ୍ଟେମ୍ବର (ହି.ସ.) ସମ୍ବଲପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଉତ୍ସର୍ଗ ଇତିମଧ୍ୟରେ ୪୧ତମ ବାର୍ଷିକ ଉତ୍ସବ ତପସ୍ୱିନୀ ପ୍ରେକ୍ଷାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଚଳିତ ବର୍ଷର ଆୟୋଜିତ ବାର୍ଷିକ ଉତ୍ସବକୁ ଅନୁଷ୍ଠାନର ପ୍ରତିଷ୍ଠିତ ସଭ୍ୟ ସ୍ୱର୍ଗତ ସରୋଜ ଦାସଙ୍କ ପ୍ରତି ଉତ୍ସର୍ଗ କରାଯାଇଛି l ଅନୁଷ୍ଠାନର ସଂଯୋଜକ ପ୍ରଶାନ୍ତ ପାଟଯୋଶୀ ଙ୍କର ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସମ୍ବଲପୁର ବିଧାୟକ ଜୟ ନାରୟଣ ମିଶ୍ର, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଡିଏମଇଟି ର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଉମାକାନ୍ତ ଶତପଥି ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ l ପ୍ରାରମ୍ଭରେ ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ପ୍ରଜ୍ବଳନ କରାଯଇଥିଲା । ଏହି ସମୟରେ ସଭ୍ୟା ଗିରିଜା ଦେବୀ ଶ୍ଳୋକ ଆବୃତ୍ତି କରିଥିଲେ l ଅନୁଷ୍ଠାନର ସଂଯୋଜକ ଶ୍ରୀ ପାଟ୍ଟଯୋଶୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସ‌ହ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଅନୁଷ୍ଠାନର ବରିଷ୍ଠ ସଭ୍ୟ ଶିବନାରାୟଣ ଅତିଥି ପରିଚୟ ପ୍ରଦାନ କରିଥିଲେ l

'ଉତ୍ସର୍ଗ' ରକ୍ତଦାନ ଠୁ ଆରମ୍ଭ କରି ସଫେଇ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ଉପଯୋଗୀ ସରଞ୍ଜାମ ଯୋଗାଣ, ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ସେବା, ଅକ୍ସିଜେନ ସାମଗ୍ରୀ ଯୋଗାଣ, ମୃତ୍ୟୁ ପରେ ଶରୀର ଦାନ ପ୍ରଭୃତି କାର୍ଯ୍ୟ କରିଆସୁଛି l ୧୯୮୪ରେ ଜୀବନ୍ୟାସ ପାଇଥିବା ଏହି ଅନୁଷ୍ଠାନ ୨୦୨୫ ସୁଦ୍ଧା ସମାଜର ବିଭିନ୍ନ ବର୍ଗରେ ସେବା କରିଥିବା ପ୍ରସଙ୍ଗର ଅନୁଭୂତି ବଖାଣିଥିଲେ ଅନୁଷ୍ଠାନର ପ୍ରତିଷ୍ଠାତା ସଭ୍ୟ ସୁଧୀର ପୂଜାରୀ। ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କେବଳ ଉଦ୍ୟୋକ୍ତା ସଭ୍ୟ ଭାବରେ ମଞ୍ଚ ସାମ୍ନାରେ ଉପସ୍ଥିତ ରହିଥିଲେ l ଏହି ଅବସରରେ ସମ୍ପୂର୍ଣ୍ଣ ଶରୀର ଦାନ କରିଥିବା ବ୍ୟକ୍ତି ସ୍ବର୍ଗତ ଈଶ୍ୱର ମାରଇ ଓ ସମାଜସେବୀ ଅଜୟ ଅଗ୍ରୱାଲ, ଯିଏ କରୋନା ସମୟରେ ଶହେଟି ଆକ୍ସିଜେନ ସିଲିଣ୍ଡର ଯୋଗାଇ ଦେଇଥିଲେ l ଅନୁଷ୍ଠାନ ପକ୍ଷରୁ ସ୍ବର୍ଗତ ଈଶ୍ୱର ମରାଇଙ୍କ ପରିବାର ଓ ସମାଜସେବୀ ଶ୍ରୀ ଅଗ୍ରୱାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଲକ୍ଷ୍ମଣ ପାଣିଗ୍ରାହୀ l ପରେ ପରେ ମଞ୍ଚ ତଳର ସ୍ୱର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ 'ଉତ୍ସର୍ଗ' ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ପରିସ୍ଥିତିରେ ନିସ୍ଵାର୍ଥପର ସେବା ପାଇଥିବା ପ୍ରମିଳା ମିଞ୍ଜ, ପ୍ରଶାନ୍ତ ବାବୁ ଓ ମୋତିଲାଲ ପୂଜାରୀ ପ୍ରମୁଖ ନିଜର ସ୍ମୃତି ଓ ଅନୁଭୂତି ବଖାଣିଥିଲେ l ମୁଖ୍ୟ ଅତିଥି ବିଧାୟକ ଶ୍ରୀମିଶ୍ର 'ଉତ୍ସର୍ଗ'ର ସେବା କାର୍ଯ୍ୟଶୈଳୀକୁ ଉଚ୍ଚ ପ୍ରଶଂସା କରିବା ସହ, ଉତ୍ସର୍ଗ ସମାଜସେବା କ୍ଷେତ୍ରରେ ସମ୍ବଲପୁରରେ ଏକ ଜାଗରଣ ସୃଷ୍ଟି କରିଛି ବୋଲି ମତ ବ୍ୟକ୍ତ କରିଥିଲେ l ଜିଲ୍ଲାପାଳ ଶ୍ରୀ ବୋନ୍ଦର ନିଜ ବ୍ଯକ୍ତବରେ ଭୀମସାର ବୁର୍ଲାରେ ବହୁତ ସଂଖ୍ୟାରେ ରକ୍ତର ଆବଶ୍ୟକତା ରହିଛି, ସେଥିପାଇଁ 'ଉତ୍ସର୍ଗ' ଓ ଅନ୍ୟ ଅନୁଷ୍ଠାନ ମାନେ ଅହରହ କାର୍ଯ୍ୟ କରୁଥବା କହି ଏହି ଅଭିଯାନ ଆଗକୁ ଜାରି ରହିବାକୁ ଆହ୍ବାନ ଦେଇଥିଲେ l ମୁଖ୍ୟବକ୍ତା ଡିଏମଇଟି ର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଶତପଥି ଟିସୁ ଦାନ, ଅଙ୍ଗଦାନ ତଥା ସମ୍ପୂର୍ଣ୍ଣ ଶରୀର ଦାନ ବିଷୟରେ ବକ୍ତବ୍ୟ ରଖିଥିଲେ l ସେ କହିଲେ ଯେ, ଯେଭଳି ଭାବରେ ଏହି ପ୍ରକ୍ରିୟା ଆଜିର ଚିକିତ୍ସାରେ ବ୍ୟାପକ ଭାବରେ ହେଲାଣି, ତଥାପି ଏହି ବିଷୟରେ ଆହୁରି ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହେବା ଆବଶ୍ୟକ । ଏଥିସହ 'ଉତ୍ସର୍ଗ'କୁ ଏହି ବିଶେଷ ଅଭିଯାନରେ କାର୍ଯ୍ୟକରୁଥିବାରୁ ଭୁୟସୀ ପ୍ରଶଂସା କରିଥିଲେ l ଶେଷରେ ସଭାରେ ଉପସ୍ଥିତ ଅନେକ ସାମାଜିକ କର୍ମୀ ଡାକ୍ତର ଶତପଥି ଙ୍କୁ ଟିସୁ ଦାନ ଓ ଅଙ୍ଗ ଦାନ ସମ୍ପର୍କିତ ଅନେକ ପ୍ରଶ୍ନ ପଚାରିବା ସହ ବୁର୍ଲା ଭୀମସାର ର ସର୍ବାଙ୍ଗୀନ ଉନ୍ନତି କଳ୍ପେ ସହଯୋଗ କରିବାକୁ ଆହ୍ବାନ କରିଥିଲେ l ଅନୁଷ୍ଠାନର ବରିଷ୍ଠ ସଭ୍ୟ ହରିଶଙ୍କର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ lଏହି କାର୍ଯ୍ୟକ୍ରମରେ 'ଉତ୍ସର୍ଗ' ସହ ଜଡିତ ଅନେକ ବ୍ୟକ୍ତି ତଥା ଶୁଭେଛୁ ଉପସ୍ଥିତ ରହିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande