କର୍ଣ୍ଣାଟକରେ ଏକାଦଶ ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ ଭାରତୀୟ ଆଂଚଳିକ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ସୁରମା ପାଢ଼ୀ
ବିତର୍କ ଓ ଆଲୋଚନା ହେଉଛି ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳମନ୍ତ୍ର : ବାଚସ୍ପତି ଭୁବନେଶ୍ୱର,୧୨ ସେପ୍ଟେମ୍ବର (ହି.ସ.)- କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆୟୋଜିତ ଏକାଦଶ ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ ଭାରତୀୟ ଆଞ୍ଚଳିକ ସମ୍ମିଳନୀରେ ଯୋଗଦେଇ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ‘ବିଧାନସଭା ଗୃହରେ ବିତର୍କ ଓ
କର୍ଣ୍ଣାଟକରେ ଏକାଦଶ ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ ଭାରତୀୟ ଆଂଚଳିକ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ସୁରମା ପାଢ଼ୀ


ବିତର୍କ ଓ ଆଲୋଚନା ହେଉଛି ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳମନ୍ତ୍ର : ବାଚସ୍ପତି

ଭୁବନେଶ୍ୱର,୧୨ ସେପ୍ଟେମ୍ବର (ହି.ସ.)- କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆୟୋଜିତ ଏକାଦଶ ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ ଭାରତୀୟ ଆଞ୍ଚଳିକ ସମ୍ମିଳନୀରେ ଯୋଗଦେଇ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ‘ବିଧାନସଭା ଗୃହରେ ବିତର୍କ ଓ ଆଲୋଚନା: ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସଭାଜନରେ ସହାୟକ’ ଶୀର୍ଷକ ଆଲୋଚନାରେ ନିଜର ବକ୍ତବ୍ୟ ଉପସ୍ଥାପନ

କରିଛନ୍ତି । ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ ବିଧାନସଭା ହେଉଛି ଗଣତନ୍ତ୍ରର କେନ୍ଦ୍ର, ପବିତ୍ର ସ୍ଥାନ, ଯେଉଁଠାରେ ଜନସାଧାରଣଙ୍କ ଆଶା, ଆକାଂକ୍ଷା ଓ ସମସ୍ୟାର ସମାଧାନ ଓ ଏହାର ନିରାକରଣ ସମ୍ଭବ ହୋଇଥାଏ । ବିତର୍କ ମାଧ୍ୟମରେ ସହମତି ପ୍ରକାଶ ପାଏ, ସଂଶୋଧନ ହୁଏ ଓ ଏଠାରେ ସାଧାରଣ ଲୋକଙ୍କର ସ୍ୱର ପ୍ରତିଫଳିତ ହୁଏ । ସଂସଦୀୟ ପରମ୍ପରାରେ ବିତର୍କ ଓ ଆଲୋଚନା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏହା ହେଉଛି ଗଣତନ୍ତ୍ରର ଜୀବନରେଖା । ଜନପ୍ରତିନିଧିମାନଙ୍କର ଉତରଦାୟିତ୍ୱବୋଧ ଏଥିରେ ପ୍ରତିଫଳିତ ହୋଇଥାଏ ।

ବାଚସ୍ପତି ଶ୍ରୀମତୀ ପାଢ଼ୀ ପୁଣି କହିଛନ୍ତି ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ବିଧାନସଭାରେ ବିଭିନ୍ନ ବିଷୟରେ ଦୀର୍ଘ ସମୟ ଧରି ବିତର୍କ ହୋଇଛି । ୨୦୦୩ ମସିହାରେ ଓଡ଼ିଶା ସହରାଞ୍ଚଳ ପୋଲିସ ବିଲ୍ ଉପରେ ୬ ଘଣ୍ଟା ଧରି ଆଲୋଚନା ହୋଇଥିବାବେଳେ ଏହି ନିକଟରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୪ ଉପରେ ରାତିସାରା ବିତର୍କ ଜାରି ରହିଥିଲା । ଏହି ବିତର୍କଗୁଡ଼ିକ ଆମର ଭାବପ୍ରବଣତା ସହିତ ବିଷୟର ଗମ୍ଭିରତା ଏବଂ ନିଷ୍ପତିରେ ପହଂଚିବା ପୂର୍ବରୁ ଧୈର୍ଯ୍ୟର ସହ ଚିନ୍ତନର ପ୍ରତିଶ୍ରୁତିବଦ୍ଧତାକୁ ପ୍ରମାଣିତ କରିଥାଏ । ଓଡ଼ିଶା ଚଳିତ ବିଧାନସଭାରେ ୬୨ଟି ବୈଠକ ଦିବସ ପରିଚାଳନା କରିବାର ରେକର୍ଡ ମଧ୍ୟ ସ୍ଥାପନ କରିଛି, ଯାହାକି ଜାତୀୟ ହାରଠାରୁ ବହୁତ ଅଧିକ ।

୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ତିନିଦିନିଆ ସମ୍ମିଳନୀରେ ଲୋକସଭାର ବାଚସ୍ପତି ଶ୍ର ଓମ୍ ବିର୍ଲା, ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ସିଦ୍ଧରମେୟା, ବାଚସ୍ପତି ଶ୍ରୀ ୟୁ. ଟି, ଖାଦେର ଫରିଦ୍‌, ବିଭିନ୍ନ ରାଜ୍ୟର ବାଚସ୍ପତି ଓ ଉପବାଚସ୍ପତି ଯୋଗଦେଇଛନ୍ତି ।

ଲୋକସଭା ବାଚସ୍ପତି ଶ୍ରୀ ବିର୍ଲା ସମ୍ମିଳନୀ ଅବସରରେ ଅନୁଷ୍ଠିତ ବିଭିନ୍ନ ଅଧିବେଶନରେ ଅଧ୍ୟକ୍ଷତା କରିବା ପାଇଁ ୫ଟି ରାଜ୍ୟର ବାଚସ୍ପତିଙ୍କୁ ମନୋନୀତ କରିଥିବାବେଳେ ସେଥି ମଧ୍ୟରେ ଓଡ଼ିଶାର ବାଚସ୍ପତି ଶ୍ରୀମତୀ ପାଢ଼ୀ ସ୍ଥାନୀତ ହେବା ଓଡ଼ିଶା ପାଇଁ ଗୌରବର ବିଷୟ ।

ସମ୍ମିଳନୀରେ ଅଂଶଗ୍ରହଣ କରି ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ କହିଛନ୍ତି ଯେ ବିଧାନସଭା ଭିତରେ ଅର୍ଥପୂର୍ଣ୍ଣ ବିତର୍କ ଏବଂ ଆଲୋଚନା ମାଧ୍ୟମରେ ଗଣତନ୍ତ୍ର ଶକ୍ତିଶାଳୀ ହୁଏ । ଆମର ଗୃହ ହେଉଛି ଗଣତନ୍ତ୍ରର ମନ୍ଦିର । ବିଧାନସଭାର ପ୍ରକୃତ ଶକ୍ତି ବିଚାରବିମର୍ଶର ଗୁଣବତ୍ତା ଏବଂ ମର୍ଯ୍ୟାଦା ଉପରେ ପର୍ଯ୍ୟବେଶିତ । ଆମେ ସବୁବେଳେ ଏହା ଉପରେ ଗୁରୁତ୍ୱ ଦେବା ଉଚିତ ଯେ ଆମର ଅଧିକାର ଲୋକଙ୍କଠାରୁ ଆସିଥାଏ, ସେମାନଙ୍କର ବିଶ୍ୱାସ ସର୍ବଦା ଆମର ବିତର୍କକୁ ମାର୍ଗଦର୍ଶନ କରିବା ଉଚିତ ।

ଏଠାରେ ସୂଚନାଯୋଗ୍ୟ ଯେ ଗତମାସ ୨୯ ଓ ୩୦ ତାରିଖରେ ଭୁବନେଶ୍ୱରଠାରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କର ଦୁଇଦିନିଆ ଜାତୀୟ ସମ୍ମିଳନୀ ସଫଳତାର ସହିତ ଆୟୋଜିତ ହୋଇଥିଲା । ଲୋକସଭାର ବାଚସ୍ପତି, ରାଜ୍ୟସଭାର ଉପାଧ୍ୟକ୍ଷ ଓ ସମସ୍ତ ରାଜ୍ୟର ବାଚସ୍ପତିମାନେ ଏହି ଆୟୋଜନର ସଫଳତା ନେଇ ସନ୍ତୋଷ ପ୍ରକାଶ କରିଥିଲେ । ଏହି ସମ୍ମିଳନୀ ଅବସରରେ ଅତିଥିମାନଙ୍କୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ, କୋଣାର୍କ, ଜନଜାତି ସଂଗ୍ରହାଳୟ ଆଦି ବୁଲାଇ ଦେଖାଇବାର ବ୍ୟବସ୍ଥା କରାଯାଇଥିଲା । ଓଡ଼ିଶାର ଆତିଥ୍ୟତାକୁ ସମସ୍ତେ ଭୂୟସୀ ପ୍ରଶଂସା କରିଛନ୍ତି ।

ଏହି ସମ୍ମିଳନୀରେ ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ମଧ୍ୟ ଯୋଗଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande