ଜୟପୁର, ୧୨ ସେପ୍ଟେମ୍ବର (ହି.ସ.)- ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆଉଟସୋର୍ସିଙ୍ଗ ଠିକା କର୍ମଚାରି ଭାବେ ନିୟୋଜିତ ହୋଇଥିବା କର୍ମଚାରୀମାନେ ଆଜି ଆନ୍ଦୋଳନ କରିଛନ୍ତି । ଠିକା କର୍ମଚାରୀଙ୍କୁ ଠିକା ସଂସ୍ଥା ପ୍ରତାରଣା କରୁଛି । ଠିକା ସଂସ୍ଥା ଠିକ ଭାବରେ ଦରମା ଦେଉନାହିଁ । କର୍ମଚାରୀ ମାନେ କାର୍ଯ୍ୟରେ ଯୋଗ ନଦେଇ ରାଜରାସ୍ତାକୁ ଆସିଛନ୍ତି । କର୍ମଚାରୀ ଯୋଗାଉଥିବା ଠିକା ସଂସ୍ଥା ବାରମ୍ବାର ଦରମା ନ ଦେଇ କର୍ମଚାରୀଙ୍କୁ କାମ କରିବାକୁ ବାଧ୍ୟ କରୁଥିବା ଅଭିଯୋଗ କରିଛନ୍ତି । ତିନି ମାସ ହେବ ଠିକା ସଂସ୍ଥା ଏଲ ଇଣ୍ଡ କେ ସର୍ଭିସେଶ୍ ଦରମା ଦେଇନଥିବାରୁ ଆନ୍ଦୋଳନ କରିଛନ୍ତି କର୍ମଚାରୀ । ଚିକିତ୍ସାଳୟ ପରିସରରେ ଆନ୍ଦୋଳନ କରିବାକୁ ମନା କରିବାରୁ ବିକ୍ଷୋଭକାରୀ ମାନେ ଜୟପୁର ସଦର ଥାନାରେ ବିକ୍ଷୋଭ କରିଥିଲେ । ଜୟପୁର ସଦର ଥାନାରେ ଏତଲା ଦେଇ ବିକ୍ଷୋଭ କରିବାରୁ ରୋଗି ସେବାରେ ବ୍ୟାଘାତ ସୃଷ୍ଟି ହୋଇଛି । ଆଜି ଜୟପୁର ସ୍ଥିତ ଜିଲା ଚିକିତ୍ସାଳୟରେ ରୋଗୀ ସେବା ଠପ ହୋଇଯାଇଛି । ଚିକିତ୍ସାଳୟରେ ୪୩୦ ଜଣ ଠିକା କର୍ମଚାରୀ କାର୍ଯ୍ୟ କରୁଛନ୍ତି । ପୁଣି ଅଭ୍ୟାସଗତ ଭାବେ ଗୋଟିଏ ମାସର ଦରମା ଦେଲେ ପୁଣି ଦୁଇ ମାସର ଦରମା ଦେଉନାହିଁ ଠିକା ସଂସ୍ଥା । ଚିକିତ୍ସାଳୟରେ ୭୦ ଜଣ ଷ୍ଟାଫ ନର୍ସ, ଶହେ ଜଣ ସିକ୍ୟୁରିଟି ଗାର୍ଡ, ଶହେ ଜଣ ସୁପଭାଇଜର, ଶହେ ଜଣ ଆଟେଣ୍ଡେଣ୍ଟ ସହିତ ଡ୍ରାଇଭର, ଡାଟା ଏଣ୍ଟି ଅପରେଟର, କର୍ମଚାରୀଙ୍କୁ ନିୟମିତ ଦରମା ଦେବାକୁ ବିଳମ୍ବ କରୁଛି । ଏମିତିକି ଦରମା ନେଇ ମୁହଁ ଖୋଲିଲେ ଚାକିରିରୁ ବାହାର କରିଦେବ କହି ଧମକ ଦେଉଥିବା ନେଇ ଠିକା କର୍ମଚାରୀ କବିତା ଆନନ୍ଦ, ବ୍ଲାସେଟ ସାମଲ ଅଭିଯୋଗ କରିଛନ୍ତି । ଏପରିକି କ୍ରମାଗତ ଭାବେ ୭ ବର୍ଷ ଧରି କାମ କରୁଥିବା ଠିକା କର୍ମଚାରୀମାନେ ନିଯ୍ୟାତନାର ଶିକାର ହୋଉଛନ୍ତି । ୩ ମାସ ହେଲେ ଗୋଟେ ମାସର ଦରମା ଦେଉଛି । ୧୫ ହଜାର ଟଙ୍କା ଦରମା ହେଉଥିବା ବେଳେ କାହାକୁ ୧୧ ହଜାର, କାହାକୁ ୮ ହଜାର, ୪ ହଜାର ଏପରି ଦରମା ଦିଆଯାଉଛି । କ'ଣ କହିଲେ ବୋୟୋମେଟ୍ରିକ ଦେଖାଉ ନାହିଁ ତମେ ଛୁଟିରେ ଅଛ ବୋଲି ଧମକ ଦିଆଯାଇ ଟାର୍ଗେଟ କରାଯାଉଛି । ୧ ଦିନ ଛୁଟି କଲେ ୫ ଦିନ ଛୁଟି ଦେଖାଯାଉଛି । ବାୟୋମେଟ୍ରିକରେ ପ୍ରତ୍ୟେକ ଦିନ ଯିବା ଆସିବା ସମୟରେ ଦସ୍ତଖତ କରାଯାଉଛି ହେଲେ ବି ଆବସେଣ୍ଟ ଦେଖାଯାଉଛି । ଦରମା ଦେଉନଥିବାରୁ ପିଲା ଛୁଆ ସହ କିପରି ବଞ୍ଚିବୁ ବୋଲି ପ୍ରଶ୍ନ କରିଛନ୍ତି । ବାର ମ୍ବାର ଠିକ ସମୟରେ ଦରମା ଦିଆଯାଉ ନାହିଁ । ଦରମା ନଦେଲେ ଉଠିବି ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଏହି ଠିକା ସଂସ୍ଥା ନିୟମିତ ରାଜ୍ୟ ସରକାରଙ୍କ ଠାରୁ ସମସ୍ତ ଅର୍ଥ ପାଉଥିଲେ ମଧ୍ୟ କାହଁକି ପ୍ରତି ମାସରେ ଦରମା ଦେଉ ନାହିଁ ତାହା ପଛରେ କାହାର ସହଯୋଗର ହାତ ଅଛି ତାହାକୁ ନେଇ ଉଠୁଛି ପ୍ରଶ୍ନ । ଠିକା କର୍ମଚାରିଙ୍କ ବିକ୍ଷୋଭ ଧାରଣାରେ ରୋଗି ସେବାରେ ସମସ୍ୟା ସୃଷ୍ଟି ହୋଇଛି । ସେମାନଙ୍କର ଦାବି ଯୁକ୍ତିଯୁକ୍ତ । ଏହାର ସ୍ଥାୟୀ ପ୍ରତିକାର ପାଇଁ ଠିକା ସଂସ୍ଥା ଏଲ ଏଣ୍ଡ କେ ସର୍ଭିସେଶକୁ ଜଣାଇ ଦିଆଯାଇଛି। ଏପରିକି ଠିକା ସଂସ୍ଥା ବିରୁଦ୍ଧରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଚିଠି କରାଯାଇଥିବା ବିଷୟ ଜିଲା ମୁଖ୍ୟ ଚିକିତ୍ସାଳୟର ଡିଏମଓ ଦିଲ୍ଲିପ ବିଶ୍ୱାଳ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି