କେନ୍ଦୁଝର, ୧୨ ସେପ୍ଟେମ୍ବର (ହି.ସ.)- ଓଡିଶାରେ ଚଳିତ ବର୍ଷ ଖରିଫ୍ ଧାନ ଚାଷ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପର୍ଯ୍ୟାପ୍ତ ସାର ଯୋଗାଇ ଦେଇଛନ୍ତି । ଏହି ଅବସରରେ କେନ୍ଦୁଝର ଜିଲ୍ଲାରେ ସାରର ସୁଷମ ବଣ୍ଟନ ଠିକ ଠାକ ଭାବେ ଚାଲୁଛି କି ନାହିଁ ତାହାର ତଦାରଖ କରିବା ପାଇଁ ଆଜି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ ହରିଚନ୍ଦନପୁର ବ୍ଲକ ର ହରିଚନ୍ଦନପୁର, ଠାକୁରପଡା , ରେବଣାପଳଶାପାଳ, ବଡପଳଶାପାଳ, ଭଗାମୁଣ୍ଡା, ଜାମୁଯୋଡି, ରାସୋଳ, ଘଟଗାଁ ବ୍ଲକ୍ ର ପଣ୍ଡାପଡ଼ା, କେନ୍ଦୁଝର ସଦର ବ୍ଲକ ର ନରଣପୁର, ଡିମ୍ବୋ, ନେଲୁଗୁଂ, ରଘୁନାଥପୁର, ବୋଦାପଳସା, ରାଇସୁଆଁ ପ୍ରଭୃତି ସେବା ସମବାୟ ସମିତି ପରିଦର୍ଶନ କରିବା ସହିତ ଲାଇସେନ୍ସ ପ୍ରାପ୍ତ ଡିଲର ସାର ବିକ୍ରୟ କେନ୍ଦ୍ର ବୁଲି ପରିଦର୍ଶନ କରିବା ସହିତ ଚାଷୀ ମାନଙ୍କୁ ସାର ସୁଷମ ବଣ୍ଟନ ତଦାରଖ କରିଥିଲେ। ତତସହିତ ଉପସ୍ଥିତ ଚାଷୀ ମାନଙ୍କୁ ଭେଟି ସାରର ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଲାଇସେନ୍ସ ପ୍ରାପ୍ତ ସାର ଡିଲର ମାନେ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଠାରୁ ମାତ୍ରାଧିକ ମୂଲ୍ୟ ଚାଷୀ ମାନଙ୍କ ଠାରୁ ନେଉଥିବା ଚାଷୀ ମାନେ ଅଭିଯୋଗ କରିଥିଲେ। କେତେକ କୁଚକ୍ରୀ ଗୋଷ୍ଠୀ ସରକାରଙ୍କୁ ବଦନାମ କରିବା ପାଇଁ ସାରର କୃତିମ ଅଭାବ ସୃଷ୍ଟି କରୁଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସାହୁ କହିଛନ୍ତି। ଜିଲ୍ଲା ପ୍ରଶାସନର ନିଷ୍କ୍ରିୟତାର ସୁଯୋଗ ନେଇ ଅସାଧୁ ବ୍ୟକ୍ତି ମାନେ ଏଭଳି କରୁଥିବାର ଚାଷୀ ମାନେ ଅଭିଯୋଗ କରିଥିଲେ। ଚାଷୀ ମାନଙ୍କୁ ସାର ସୁଶମ ବଣ୍ଟନରେ ଯେଉଁ ମାନେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ଓ ଅସାଧୁ ଉପାୟ ଅବଲମ୍ବନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ ଚେତାବନୀ ଦେଇଛନ୍ତି।
ଏହି ପରିଦର୍ଶନ ସମୟରେ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଭାଗିରଥି ସିଂ, ସରୋଜ କୁମାର ଭଞ୍ଜ, ବନୋଜ କୁମାର ନାୟକ, ଶିଶିର କୁମାର ସାହୁ, ଅନନ୍ତ କୁମାର ସାହୁ, ଅମିତ କୁମାର ସିଂହ ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଯୋଗଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA