ଭବାନୀପାଟଣା, ୧୨ ସେପ୍ଟେମ୍ବର (ହି.ସ.)- ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କଳାହାଣ୍ଡି ତରଫରୁ ବଜ୍ରପାତରୁ ସୁରକ୍ଷା ନିମନ୍ତେ ଏକ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରୁ ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥ ଜିଲ୍ଲାର ୧୩ ଗୋଟି ବ୍ଲକ ଓ ୪ ଗୋଟି ୟୁ.ଏଲ୍.ବି. ଅଞ୍ଚଳ ପରିକ୍ରମା କରି ବଜ୍ରପାତ ସମୟରେ ଲୋକେ କିପରି ସଚେତନ ହୋଇ ନିଜକୁ ସୁରକ୍ଷିତ ରଖିବେ ସେ ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରସାର ପ୍ରଚାର କରିବ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ବଇତୁରା ଦୀପ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା. ନିହାରେନ୍ଦ୍ର ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଡେପୁଟି କଲେକ୍ଟର ମନୀଷା ଗୁପ୍ତା, ଡେପୁଟି କଲେକ୍ଟର ଅଭିଷେକ ବଗର୍ତ୍ତୀ, ସହକାରୀ ଜିଲ୍ଲାପାଳ ସୁଶାନ୍ତ କୁମାର ନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ