ମାଲକାନଗିରି, ୧୨ ସେପ୍ଟେମ୍ବର (ହି.ସ.) - ଲୋକ ଯେତେ ଆଧୁନିକ ହେଲେ ବି ଦୂର ହେଉନି ଅନ୍ଧ ବିଶ୍ୱାସ । ଏବେ ବି ସେଇ ଅ ନ୍ଧାରି ମୁଲକରେ ଅଛନ୍ତି ଲୋକେ । ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଏହାର ପ୍ରଭାବ ଅଧିକ । ଗୁଣିଗାରେଡ଼ି ସନ୍ଦେହ କରି କେଉଁଠି ଲୋକଙ୍କୁ ମାରି ଦେଉଛନ୍ତି, ପୁଣି କାହାକୁ ବାସନ୍ଦ କରାଯାଉଛି । ପ୍ରତିଦିନ କେଉଁଠି ନା କେଉଁଠି ଏଭଳି ଏକ ଘଟଣା ଘଟୁଛି!
ମାଥିଲି ଥାନା ଅନ୍ତର୍ଗତ କୁରମପାଲୀ ଗ୍ରାମରେ ଜଣେ ବ୍ୟକ୍ତିକୁ କେହି ଦୁର୍ବୃତ ଧାରୁଆ ଅସ୍ତ୍ରରେ ଶୋଇଥିବା ବେଳେ ହତ୍ୟା କରିଛି। ତେବେ ଏହାକୁ ଗୁଣିଗାରେଡ଼ି ବୋଲି ସନ୍ଦେହ କରାଯାଉଛି। ଖବର ପାଇ ମାଥିଲି ପୁଲିସ ତଦନ୍ତ ଆରମ୍ଭ କରିଛି।
ଘଟଣା ଅନୁଯାୟୀ କୁରମପାଲୀ ଗ୍ରାମର ନିରଞ୍ଜନ ଠାକୁର ଘର ବାହାରେ ଶୋଇଥିବା ବେଳେ ଘର ଭିତରେ ଝିଓ ଜ୍ୱାଇଁ ଶୋଇଥିଲେ।
ପ୍ରକାଶ ଥାଉକି ନିରଞ୍ଜନ ଦିଶାରୀ କାମ କରନ୍ତି। ତେଣୁ ହୁଏତ ସେ କାହାକୁ ଗୁଣିଆ ମନେକରି ଏଭଳି ବୀଭତ୍ସ ହତ୍ୟାକଣ୍ଡ ଭିଆଇ ଦିଆଯାଇଥାଇପାରେ ବୋଲି ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି। କିନ୍ତୁ ମାଥିଲି ଆଇଆଇସି ଦିପାଞ୍ଜଳୀ ପ୍ରଧାନଙ୍କୁ ପଚାରିବାରୁ ସେ ତଦନ୍ତ ଚାଲିଥିବା କହିବା ସହ ତଦନ୍ତ ପରେ ହିଁ ସଠିକ ହତ୍ୟାର କାରଣ କୁହାଯାଇପାରିବ ବୋଲି କହିଥିଲେ। ତେବେ କିଏ ଓ କାହିଁକି ନିରଞ୍ଜନକୁ ହତ୍ୟା କରିବ ତାହା ଏବେ ଅସ୍ପଷ୍ଟ ରହିଛି। ପରିବାର ଲୋକେ ମଧ୍ୟ କାହା ଉପରେ ସନ୍ଦେହ କରିପାରୁ ନାହାନ୍ତି। ପୁଲିସ ହିଁ ଏହି ଘଟଣାର ପର୍ଦାଫାସ କରିପାରିବ ବୋଲି ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ