ଘଟଗାଁ ୧୨ ସେପ୍ଟେମ୍ବର (ହି ସ ) - ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ପିଇଓକୁ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ସେ ହେଲେ ମୟୁରଭଞ୍ଜ ଜିଲ୍ଲାର ବିଜତଳା ବ୍ଲକ ଅନ୍ତର୍ଗତଲୁହାଶିଳା ପଂଚାୟତର ପୂର୍ବତନ ପିଇଓ ପୁଷ୍ପିତା ମହାକୁଡ଼। ସେ ବର୍ତମାନ ରାଇରଙ୍ଗପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ବରିଷ୍ଠ ନାଗରିକଙ୍କୁ ସରକାରଙ୍କ ପକ୍ଷରୁ ପ୍ରଦାନ ହେଉଥିବା ପେନସନ ରାଶିକୁ ଆତ୍ମସାତ କରିଥିବାର ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗକ୍ରମେ ଭିଜିଲାନ୍ସ ପକ୍ଷରୁ ତଦନ୍ତ କରିଯାଇଥିବା ବେଳେ ପୁଷ୍ପିତା ୫,୬୮,୯୫୦ଟଙ୍କା ଆତ୍ମସାତ କରିଥିବା ନେଇ ଜାଣିବାକୁ ପାଇଥିଲେ। ପିଇଓ ଥିବା ସମୟରେ ବରିଷ୍ଠ ନାଗରିକଙ୍କୁ ପେନସନ ରାଶି ପ୍ରଦାନ ନକରି ମିଛ ଦସ୍ତଖତ କରି ତାହାକୁ ବାଟ ମାରଣା କରିଥିଲେ। ଏହାକୁ ନେଇ ଭିଜିଲାନ୍ସ ପକ୍ଷରୁ ଶୁକ୍ରବାର ତାଙ୍କୁ ଗିରଫ କରାଯାଇଛି। ବାରିପଦା ସ୍ଥିତ ସତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟରେ ତାଙ୍କୁ ହାଜର କରାଯାଇଛି। ଏ ବାବଦରେ ବାଲେଶ୍ୱର ଭିଜିଲାନ୍ସ ସେଲରେ କେଶ ନମ୍ବର ୧୦/୨୦୨୫ରେ ଏକ ମାମଲା ରୁଜୁ କରି ଭିଜିଲାନ୍ସ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରଖିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ