କେନ୍ଦୁଝର, ୧୨ ସେପ୍ଟେମ୍ବର (ହି.ସ.)- ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ସହ ସାମାଜିକ ପ୍ରତିବନ୍ଧକ ଦୂର କରିପାରିଛନ୍ତି ଯୋଡା
ଅଞ୍ଚଳର ୧୦ ଜଣ ଆଦିବାସୀ ଯୁବତୀ। ପରିବାରର ସ୍ଥିତି ସୁଧାରିବାର ଦୃଢ଼ ସଂକଳ୍ପ ଓ ଅଭିଳାଷ ଯୋଗୁଁ ସେମାନେ ଆଜି ସମାଜର ଚିରାଚରିତ ଧାରାକୁ ଭାଙ୍ଗି ସଫଳତାର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଟାଟା ଷ୍ଟିଲ ଫାଉଣ୍ଡେସନ ସହଯୋଗରେ ଭାରି ମୋଟର ଯାନ ଡ୍ରାଇଭିଂ ସାର୍ଟିଫିକେଟ ହାସଲ କରି ପରିବାରକୁ ଆର୍ଥିକ ସହାୟତା କରିବା ପାଇଁ ଆଗକୁ ଆସି ସ୍ଥାନୀୟ ଅଞ୍ଚଳର ଝିଅମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସଫଳ ଯୁବତୀ ହେଉଛନ୍ତି କେନ୍ଦୁଝର ଜିଲ୍ଲାର ଗୁଆଳି ଗ୍ରାମ ପଞ୍ଚାୟତର ଦୀପା ଲୋହାର। ଏକ ସାଧାରଣ ଆଦିବାସୀ ପରିବାରରେ ଜନ୍ମିତ ଦୀପା, ମୌଳିକ ଶିକ୍ଷା ପରେ ଆଗକୁ ପାଠ ପଢିବାର ସୁଯୋଗ ପାଇ ନଥିଲେ। ହେଲେ ପରିବାରର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ସେ ଦୃଢ଼ ସଂକଳ୍ପ ନେଇଥିଲେ। ଏବେ ମାତ୍ର ୨୩ ବର୍ଷ ବୟସରେ ସେ ଭାରି ମୋଟର ଯାନ (ଏଚ୍ଏମ୍ଭି) ଡ୍ରାଇଭିଙ୍ଗ ଲାଇସେନ୍ସ ହାସଲ କରିଛନ୍ତି। ତାହା ଏଭଳି ଏକ ଯୋଗ୍ୟତା ଯାହା ପୁରୁଷମାନଙ୍କ ମଧ୍ୟରେ ମଧ୍ୟ ଅତ୍ୟନ୍ତ କମ୍ ଦେଖାଯାଏ।
ଏ ସମ୍ପର୍କରେ ଗୁଡାସାହିର ଦୀପା କହିଛନ୍ତି, “ଆମ ଛଅ ଜଣିଆ ପରିବାରରେ କେବଳ ମୋ ଭଉଣୀ ରୋଜଗାର କରୁଥିଲେ। ସେଥିପାଇଁ ମୋର ପାଠପଢ଼ା ଅଧାରେ ଅଟକି ଯାଇଥିଲା। କିନ୍ତୁ, ଏହି ଗାଡ଼ି ଚାଳନା ତାଲିମ ଯୋଗୁଁ ଦକ୍ଷତା ତାଲିମ ସହ ପରିବାର ଚଳାଇବା ପାଇଁ ମୋ ଭଉଣୀକୁ ମଧ୍ୟ ମୁଁ ସହଯୋଗ କରିବା ପାଇଁ ଆଗକୁ ଆସି ପାରିଛି । ଏହି ତାଲିମ ମୋତେ ମୋ ସ୍ୱପ୍ନ ପୂରଣ କରିବାରେ ସହାୟକ ହେବ। ମୋତେ ସହଯୋଗ କରିବା ସହ ସଶକ୍ତ କରିଥିବାରୁ ଟିଏସ୍ଏଫ୍କୁ କୃତଜ୍ଞତା ଜଣାଉଛି।“
ପାର୍ଶ୍ୱବର୍ତ୍ତୀ ସୁନ୍ଦରଗଡ଼ ଜିଲ୍ଲାର ମାଲଦା ପଞ୍ଚାୟତ ଅଧୀନରେ ଥିବା ଗେଡ୍ରାଗୋଡ଼ା ଗ୍ରାମର ସସ୍ମିତା ପାତ୍ରଙ୍କ କାହାଣୀ ମଧ୍ୟ ଦୀପାଙ୍କ ଭଳି ସାହସର ଏକ ଯାତ୍ରା ଥିଲା। ଦ୍ଵାଦଶ ଶ୍ରେଣୀ ଯାଏଁ ପାଠ ପଢିଥିବା ସସ୍ମିତା, ପିତାଙ୍କ ମୃତ୍ୟୁ ପରେ ନିଜର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଭିତରେ ଥିଲେ। କିନ୍ତୁ ଯେତେବେଳେ ତାଙ୍କୁ ଡ୍ରାଇଭିଂ ଶିଖିବାର ସୁଯୋଗ ମିଳିଥିଲା, ସେ ଏହାକୁ ହାତଛଡା କରିନଥିଲେ। ସସ୍ମିତା କହନ୍ତି, “ଲୋକମାନେ ପ୍ରାୟତଃ କହୁଥିଲେ ଝିଅମାନେ ଗାଡି ଚଲାଇ ପାରିବେ ନାହିଁ ଏବଂ ଏହା ଏକ ସମ୍ମାନଜନକ ବୃତ୍ତି ନୁହେଁ। କିନ୍ତୁ, ମୁଁ ସେମାନଙ୍କୁ ଭୁଲ ପ୍ରମାଣିତ କରିବାକୁ ଚାହୁଁଥିଲି। ଆଜି ମୁଁ ଆତ୍ମବିଶ୍ୱାସୀ ଏବଂ ସ୍ୱାଧୀନ। ପରିବାର ଚଳାଇବା ପାଇଁ ମୁଁ ମୋ ମାଆଙ୍କୁ ସହଯୋଗ କରିପାରିବି ଏବଂ ସମାଜର ଅନ୍ୟମାନଙ୍କୁ ଦେଖାଇପାରିବି ଯେ, ଝିଅମାନେ ମଧ୍ୟ ରୋଜଗାର କରିପାରିବେ ଏବଂ ପରିବାର ଚଳାଇ ପାରିବେ।’’
ବଣାଇ ସ୍ଥିତ ଅଶୋକ ଲେଲ୍ୟାଣ୍ଡ ଇନ୍ଷ୍ଟିଚ୍ୟୁଟ ଅଫ୍ ଡ୍ରାଇଭର ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ସୋସାଇଟିରେ ଏକ ଇଣ୍ଟେନ୍ସିଭ ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦ୍ୱାରା ଏହି ଯୁବତୀମାନଙ୍କ ଯାତ୍ରା ଆଗକୁ ବଢ଼ିଛି। ଏକାଧିକ ସପ୍ତାହ ଧରି ୧୦ ଜଣ ମନୋନୀତ ପ୍ରାର୍ଥୀ ଏକ ପାଠ୍ୟକ୍ରମରେ ସାମିଲ ହୋଇଥିଲେ। ସେଠାରେ ଶ୍ରେଣୀଗୃହ ଶିକ୍ଷା ସହ ପ୍ରାକ୍ଟିକାଲ ସେସନ୍ସ ଦିଆଯାଇଥିଲା। ପ୍ରାର୍ଥୀମାନଙ୍କୁ ପେସାଦାର ଗାଡ଼ି ଚାଳନା ଟ୍ରେନିଂ ସାଙ୍ଗକୁ ସଡ଼କ ସୁରକ୍ଷା, ମେନାକିକ୍ ଓ ଡିଫେନ୍ସିଭ ସହ ସଫ୍ଟ ସ୍କିଲ୍ସ ଏବଂ ବ୍ୟକ୍ତିତ୍ୱ ବିକାଶ ଭଳି ବ୍ୟାପକ ତାଲିମ ପ୍ରଦାନ କରାଯାଇଥିଲା। ଏହି ପ୍ରଶିକ୍ଷଣ ଯାନ୍ତ୍ରିକ ଜ୍ଞାନ ପ୍ରଦାନ ଠାରୁ ଅଧିକ ଥିଲା। ଯୋଗାଯୋଗ, ଦଳଗତ କାର୍ଯ୍ୟ ଏବଂ ବ୍ୟକ୍ତିତ୍ୱ ବିକାଶ ଉପରେ ଅଧିବେଶନ ପ୍ରଶିକ୍ଷାର୍ଥୀମାନଙ୍କୁ ଆତ୍ମବିଶ୍ୱାସ ସହ ଆଗକୁ ବଢ଼ିବା ଏବଂ ପରିବହନ କ୍ଷେତ୍ରରେ ପେସାଦାର ଭୂମିକା ପାଇଁ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିଲା। ସେମାନଙ୍କ ମଧ୍ୟରୁ ଅନେକଙ୍କ ପାଇଁ ଏହା କେବଳ ଗାଡି ଚଲାଇବା ଶିଖିବା ନୁହେଁ, ବରଂ ଏହା ସେମାନଙ୍କର ନିଜସ୍ୱ ମହତ୍ୱାକାଂକ୍ଷାକୁ ଆବିଷ୍କାର କରିବା ଏବଂ ସେହି ସ୍ଥାନଗୁଡିକରେ ପ୍ରବେଶ କରିବାକୁ ପ୍ରସ୍ତୁତ କରିଥିଲା, ଯେଉଁଠାରେ ମହିଳାମାନଙ୍କୁ କ୍ୱଚିତ୍ ଦେଖିବାକୁ ମିଳେ। ଏହି ଯୁବତୀମାନେ କେବଳ ଏକ ଜୀବିକା ଦକ୍ଷତା ଅର୍ଜନ କରୁନାହାନ୍ତି; ସେମାନେ ଚିରାଚରିତ ଧାରା ପ୍ରତି ଆହ୍ୱାନ ସୃଷ୍ଟି କରିଛନ୍ତି ଏବଂ ଅନେକଙ୍କୁ ଅନୁସରଣ କରିବାକୁ ପ୍ରେରଣା ଦେଉଛନ୍ତି। ସେମାନଙ୍କର ସଫଳତା ତାଙ୍କ ଗାଁରେ ଏକ ନୂଆ ପରିବର୍ତ୍ତନର ଆରମ୍ଭ କରିଛି, ଯେଉଁଠାରେ ପିଲା ଓ ଅଭିଭାବକମାନେ ଝିଅମାନଙ୍କ ପାଇଁ ନୂଆ ସମ୍ଭାବନା ଦେଖିବା ଆରମ୍ଭ କରିଛନ୍ତି। ଟାଟା ଷ୍ଟିଲ ଫାଉଣ୍ଡେସନର ଏହି ପଦକ୍ଷେପ ଆଦିବାସୀ ମହିଳାମାନଙ୍କ ପାଇଁ ଧୀରେ ଧୀରେ ଦ୍ୱାର ଖୋଲୁଛି। ୨୭ ଜଣ ଯୁବତୀଙ୍କର ଏକ ଦଳ ପ୍ରଥମେ ଲଘୁ ମୋଟର ଯାନ ଚାଳନା ପ୍ରଶିକ୍ଷଣ ନେଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଦୀପା ଏବଂ ସସ୍ମିତାଙ୍କ ସମେତ ୧୦ ଜଣ ବର୍ତ୍ତମାନ ଏଚ୍ଏମ୍ଭି ଚାଳକ ଭାବରେ ଯୋଗ୍ୟତା ଅର୍ଜନ କରିଛନ୍ତି। ନିଜ ସମୁଦାୟ ପାଇଁ ଏହି ଯୁବତୀମାନଙ୍କର ରୋଜଗାର ଏକ ଲାଇସେନ୍ସ ଠାରୁ ଅଧିକ ହୋଇଥିବା ବେଳେ ତାହା ପାଲଟିଛି ମର୍ଯ୍ୟାଦା, ସ୍ୱାଧୀନତା ଏବଂ ପ୍ରତିବନ୍ଧକ ଦୂର କରିବାର ପ୍ରତୀକ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA