ଜୟପୁର, ୧୪ ସେପ୍ଟେମ୍ବର (ହି.ସ.)- କୋରାପୁଟ ଜିଲା କୁନ୍ଦୁରା ବ୍ଲକର ଭେଜାହାଣ୍ଡି ୟୁପିଏସ ନୋଡାଲ ସ୍କୁଲ ହଷ୍ଟେଲରେ ଛାତ୍ରୀ ମାନେ ଝାଡା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଆଜି ଜୟପୁର ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ୧୩ ଜଣ ଛାତ୍ରୀ ଭର୍ତି ହୋଇ ଚିକିତ୍ସିତ ହୋଇଛନ୍ତି । ଗତ ୩ ଦିନରେ ମୋଟ ୨୪ ଜଣ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ଝାଡା ହେବାର କାରଣ କିଛି ଜଣାପଡିନାହିଁ ।
ସୂଚନା ଅନୁଯାୟୀ, ନୋଡାଲ ସ୍କୁଲରେ ଶହେ ସିଟ ବିଶିଷ୍ଟ ହଷ୍ଟେଲ ଥିବା ବେଳେ ଏଠାରେ ୪ର୍ଥରୁ ୧୦ ଶ୍ରେଣି ଯାଏ ଛାତ୍ରୀ ରହୁଛନ୍ତି । ଗତ ୩ ଦିନ ତଳେ ଦଶମ ଶ୍ରେଣିର ୯ ଜଣ ଛାତ୍ରୀ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କୁ କୁନ୍ଦୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିଲା । ସେଥି ମଧ୍ୟରୁ ୬ ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଜୟପୁର ସ୍ଥିତ ଜିଲା ଚିକିତ୍ସାଳୟରେ ଭର୍ତି କରିଥିଲେ । ସେହିପରି ଗତକାଲି ମଧ୍ୟ ୪ ଜଣଙ୍କୁ ଝାଡା ହୋଇଥିବା ବେଳେ ହଷ୍ଟେଲରେ ଔଷଧ ଦେଇ ଚିକିତ୍ସା କରାଯାଇଥିବା ବେଳେ ଆଜି ୧୩ ଜଣ ଛାତ୍ରୀ ଝାଡାରେ ଆକ୍ରାନ୍ତ ହୋଇଥିବା ବେଳେ ଜୟପୁର ସ୍ଥିତ ଜିଲା ଚିକିତ୍ସାଳୟରେ ଭର୍ତି କରାଯାଇଛି । ଆଜି ଷଷ୍ଠ, ସପ୍ତମ, ଅଷ୍ଟମ, ଦଶମ ଶ୍ରେଣିର୧୩ ଜଣ ଛାତ୍ରୀ ଆକ୍ରାନ୍ତ ହୋଇଥିବା ୱାଡେନ ତନୁଶ୍ରୀ ଜେନା ସୂଚନା ଦେଇଛନ୍ତି । ଚିକିତ୍ସାଳୟରେ ଚିକିତ୍ସା ଜାରି ରହିଛି । ହଷ୍ଟେଲରେ ସ୍ୱାସ୍ଥ୍ୟ କର୍ମି ପହଞ୍ଚି ଚିକିତ୍ସା କରିଥିବା ଜଣାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି