ସମ୍ବଲପୁର, ୧୪ ସେପ୍ଟେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକର କସଡ଼ା ପଞ୍ଚାୟତରେ ୨୦୨୪ ମସିହାରେ ମନରେଗା ଯୋଜନାରେ କାମ କରିଥିବା ହିତାଧିକାରୀଙ୍କୁ ଅଦ୍ୟାବଧି ପାରିଶ୍ରମିକ ମିଳିନଥିବା ଜଣାପଡିଛି । ଏ ସମ୍ପର୍କରେ ଜମନକିରା ବ୍ଲକ୍ ବିଡ଼ିଓଙ୍କୁ ଗତ ୧ତାରିଖରେ ଲିଖିତ ଅଭିଯୋଗ ହୋଇଛି। ଏପରିକି ଯେଉଁମାନେ ମନରେଗାରେ କାର୍ଯ୍ୟ କରିନାହାନ୍ତି ତାଙ୍କ ଖାତାରେ ଟଙ୍କା ପଇଠ କରାଯାଇଥିବା ମଧ୍ୟ ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି। କସଡ଼ାରେ ୨୦୨୪ ମସିହାରେ ଡ୍ରେନେଜ୍ ପାଇଁ ଗାତ ଖୋଳା ଯାଇଥିଲା ଏବଂ ଏକ ସପ୍ତାହର ଟଙ୍କା ବକେୟା ଥିବା ବେଳେ ୨୦୨୫ /୨୬ ର ମନରେଗା କାର୍ଯ୍ୟରେ ନୂତନ କାର୍ଯ୍ୟ ଆରମ୍ଭ କରି ଅଳ୍ପ କିଛି କାମ କରି ଲୋକଙ୍କ ବ୍ୟାଙ୍କ ଖାତାରେ ଟଙ୍କା ପକାଯାଇ ଏହି ଟଙ୍କା ଅସୁଲି କରାଯାଉଥିବା ନଜରକୁ ଆସିଛି। ଏପରିକି ପାରିଶ୍ରମିକ ପାଇଥିବା ବ୍ୟକ୍ତି ମାନେ କୌଣସି ବର୍ଷ ମନରେଗା ଯୋଜନାରେ କାର୍ଯ୍ୟ କରିଥିବା ଦେଖିବାକୁ ମିଳେନାହିଁ ବୋଲି ଅଭିଯୋଗରେ ଦର୍ଶାଯାଇଛି । ଅଭିଯୋଗ ଅନୁଯାୟୀ କସଡ଼ା ପଞ୍ଚାୟତର ପୂର୍ବତନ ଅଧିକାରୀଙ୍କୁ ଏ ସମ୍ପର୍କରେ ବାରମ୍ବାର ମୌଖିକ ଅଭିଯୋଗ ଜଣାଇଥିଲେ ମଧ୍ୟ ଶ୍ରମିକ ମାନେ ନିଜ ପାରିଶ୍ରମିକ ଟଙ୍କା ପାଇ ପାରିନାହାନ୍ତି। କସଡ଼ା ପଞ୍ଚାୟତର ପ୍ରାୟ ୨୩ଜଣ ଜବ୍ କାର୍ଡଧାରୀଙ୍କ ମନରେଗା ଯୋଜନାରେ ଡ୍ରେନେଜ୍ ଗାତ ଖୋଳା ଟଙ୍କା ବାକେୟା ଥିବା ବେଳେ ଏହି ପଞ୍ଚାୟତର ପ୍ରାୟ ୩୫ ଜଣ ଅଣ ଶ୍ରମିକଙ୍କ ଖାତାରେ କିପରି ଟଙ୍କା ପକାଯାଇ ପାରିଲା ସେ ସମ୍ପର୍କରେ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଅଭିଯୋଗକୁ ଏକ ସପ୍ତାହ ବିତିଯାଇଥିବା ସତ୍ୱେ ଏହାର ତଦନ୍ତ ନ ହେବାରୁ ଶେଷରେ ଶ୍ରମିକ ହିତାଧିକାରୀ ମାନେ ସମ୍ବଲପୁର ଜିଲ୍ଲାପାଳ ଏବଂ ଶ୍ରମି ଅଧିକାରୀଙ୍କୁ ୯ ତାରିଖରେ ସମ୍ବଲପୁରରେ ତାଙ୍କ କାର୍ଯ୍ୟାଳୟରେ ଭେଟି ଲିଖିତ ଅଭିଯୋଗ କରିଛନ୍ତି । ଏବେ ଦେଖିବାକୁ ରହିଲା ବିଭାଗୀୟ ଅଧିକାରୀ ଶ୍ରମିକଙ୍କ ଟଙ୍କା ପ୍ରଦାନ କରିବାରେ ସଫଳ ହେଉଛନ୍ତି କି ବିଫଳ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ