ଭଦ୍ରକ, ୧୪ ସେପ୍ଟେମ୍ବର (ହି.ସ.) - ଆଖଣ୍ଡଳମଣି ରାସ୍ତାର ଅବସ୍ଥା ଏବେ କହିଲେ ନସରେ । ୩୮ କି.ମି. ରାସ୍ତାକୁ ବସରେ ଯିବାକୁ ହେଲେ ୨ ଘଂଟାରୁ ଅଧିକ ସମୟ ଲାଗୁଛି । ଏହି ରାସ୍ତାକୁ ସମ୍ପ୍ରସାରଣ ଓ ନିର୍ମାଣ କରିବା ପାଇଁ ୫ ବର୍ଷ ବିତିଲାଣି। ଠିକାଦାର ନିଜ ମନ ମାନିଆରେ କାମ ଚାଲୁ ରଖିଛନ୍ତି । ଲୋକେ ଯେତେ ଅଭିଯୋଗ କଲେବି ସେ ବିଭାଗୀୟ ଅଧିକାରୀଙ୍କ ଛତ୍ରଛାୟା ତଳେ ଥିବାରୁ ଏହାକୁ ଭ୍ରୁକ୍ଷେପ କରୁ ନାହାଁନ୍ତି । ମଙ୍ଗଳପୁର ଠାରୁ ଅସୁରାଳି ମଧ୍ୟରେ ରାସ୍ତା ନିର୍ମାଣ ପରେ ପୁଣି ପିଚୁ ଉଠି ଯାଇଥିବା ବେଳେ ପୁନଃ ପିଚୁ କାମ କରାଯିବାର ପ୍ରତିଶ୍ରୁତି ଦେଇ ଠିକାଦାର ଚୁପ ହୋଇ ବସିଛନ୍ତି ଓ ସେହି ସ୍ଥାନରେ ଦୁର୍ଘଟଣା ଘଟୁଥିଲେ ବି ବିଭାଗୀୟ ଅଧିକାରୀଙ୍କ ନିରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିକଟରେ ପତ୍ରିସାହି ନିକଟରେ ହୋଇଥିବା ପିଚୁ କାମ ସଂପୂର୍ଣ୍ଣ ରୂପେ ନିମ୍ନମାନର ଓ ଦିନକ ପରେ ପିଚୁ ଉଠି ଯାଇଛି । ସେହିପରି ସୁନ୍ଦରପୁର, ଦୋହରାପାଟଣା ଏବଂ ମଠଡିହ ନିକଟରେ ରାସ୍ତା ଖାଲ ଖମା ରେ ରହିଛି । ଏସବୁର ସମାଧାନ ହେବା ଦୂରୁହ ବ୍ୟାପାର ବୋଲି କହିଛନ୍ତି କିଛି ବୁଦ୍ଧିଜୀବୀ । ବିଧାୟକ ଥିବା ବେଳେ ସୂର୍ଯ୍ୟବଂଶୀ ସୁରଜ ବାରମ୍ବାର ଏହି ରାସ୍ତାର ଦୂରାବସ୍ଥା କୁ ବିଧାନ ସଭା ରେ ଉପ ସ୍ଥାପନ କରୁଥିଲେ । ପରେ ଏହି ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ବିଭାଗୀୟ ଅଧିକାରି ଙ୍କୁ ତାଗୀଦି କଲେ ରାସ୍ତା କାର୍ଯ୍ୟ ତ୍ୱରାନିତ ହୋଇ ପାରନ୍ତା ବୋଲି କଂଗ୍ରେସ ନେତା ରମେଶ ବେହେରା କହିଛନ୍ତି। ଭଦ୍ରକ - ଆରଡ଼ି ରାସ୍ତା ଏକ ପ୍ରମୁଖ ରାସ୍ତା ଦୀର୍ଘ ୫ ବର୍ଷ ଧରି ରାସ୍ତା କାର୍ଯ୍ୟ ନାଁ ରେ କଣ ହେଉଛି ଜନତା କୁ ଆଉ ଅଛପା ନାହିଁ। ନେତା ମାନଙ୍କ ପ୍ରତିଶ୍ରୁତି ଜନତା ଙ୍କ ମୁଣ୍ଡବ୍ୟଥା ର କାରଣ ପାଲଟିଛି ବୋଲି ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ ମଲିକ କହିଛନ୍ତି । ଏ ସମ୍ପର୍କରେ ପୂର୍ତର୍ ବିଭାଗ ଏସଡିଓ ମହେଶ୍ୱର ସାହୁ କହିଛନ୍ତି ବର୍ଷା ପାଇଁ କାର୍ଯ୍ୟ ର ମନ୍ଥରତାଦେଖା ଦେଇଚି ବର୍ଷା ଛାଡିଲେ ରାସ୍ତାକାର୍ଯ୍ୟ ହେବ ବୋଲି କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ