ଭଦ୍ରକ, ୧୪ ସେପ୍ଟେମ୍ବର (ହି.ସ.) - ପବିତ୍ର ମୂଳାଷ୍ଟମୀ ଅବସରରେ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢାରେ ଥିବା ମା ଜୟ ଦୁର୍ଗାଙ୍କ ମଣ୍ଡପରେ ଷୋଡଶ ଦିବସୀୟ ପୂଜା ଆରମ୍ଭ ହୋଇଛି। ଭୋର ୪ଟାରେ ପହଡ ଖୋଲିବା ପରେ ରୀତିନୀତି ଅନୁଯାୟୀ ବାବାଙ୍କ ପାଖରେ ପୂଜାର୍ଚ୍ଚନା କରାଯିବା ସହ ମା'ଙ୍କ ପୂଜା ମଣ୍ଡପରେ ମଙ୍ଗଳ ଆଳତୀ, ହଳଦୀ ପଂଚାମୃତ ସ୍ନାନ, ଘଟ ସ୍ଥାପନ, ଦ୍ୱାରପାଳ ପୂଜା, ଚଣ୍ଡିପାଠ, ଆଦି କରାଯାଇଥିଲା। ମଧ୍ୟାହ୍ନରେ ମା ପ୍ରଥମ ଦିନରେ ଗୈାରୀ ବେଶରେ ଦର୍ଶନ ଦେଇଥିଲେ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ମା'ଙ୍କ ପୂଜା ମଣ୍ଡପରେ ଦଶହରା ଯାଏଁ ପ୍ରତିଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ମହାଲକ୍ଷ୍ମୀ, ମହାକାଳୀ, ଗାୟତ୍ରୀ, ସର୍ବମଙ୍ଗଳା ଆଦି ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ ମା ଜୟଦୁର୍ଗା।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ