ରାଉରକେଲା, ୧୪ ସେପ୍ଟେମ୍ବର (ହି.ସ.)- ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଜର୍ଡା ନୋଡାଲ ଠାରେ ଥିବା ହଷ୍ଟେଲ ସ୍କୁଲରେ ଜଣେ ୩ୟ ଶ୍ରେଣୀ ଛାତ୍ର ବାକ୍ସ ଭିତରୁ ଅଚେତ ଅବସ୍ଥାରେ ଉଦ୍ଧାର ହେବା ଘଟଣା ସମଗ୍ର ଜିଲ୍ଲାରେ ଥିବା ଆଶ୍ରମ ସ୍କୁଲ ଗୁଡିକର ପରିଚାଳନା ବ୍ୟବସ୍ଥା ଓ ଜିଲ୍ଲାରେ ଏସବୁକୁ ଦେଖିବା ଲାଗି ଥିବା ଅଧିକାରୀ ମାନଙ୍କର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛି ।
ଖବରରୁ ପ୍ରକାଶ ଯେ, ଗୁରୁଣ୍ଡିଆ ଅଁଚଳରେ ଶନିବାର ଘଟିଥିବା ଏହି ଘଟଣାକୁ ଲୁଚାଇବାକୁ ଚେଷ୍ଟା କରାଯାଇଥିବା ବେଳେ ଆଖପାଖର ମିଡିଆ ଏହାକୁ ଜାଣିପାରିଥିଲେ । ପରେ ଏନେଇ ତଦନ୍ତ କରାଜିବାରୁ ଜଣାପଡିଥିଲା ଯେ, ୩ୟ ଶ୍ରେଣୀ ଛାତ୍ର ଜଣକ ସହ କିଛି ପିଲାଙ୍କର ଝଗଡା ହେବାରୁ ପିଲାଟି ମାଡ ଭୟରେ ସେଠାରେ ଥିବା ଏକ ବାକ୍ସ ଭିତରେ ପଶିଯାଇ ଲୁଚିଯାଇିଥିଲା, ପରେ ସେ ପିଲାଟି ତା' ଭିତରେ ଅଚେତ ହୋଇଯାଇଥିଲା, ତେବେ କ୍ଲାସରେ ପିଲାଟି ନଥିବାରୁ ତାକୁ ଶିକ୍ଷକ ମାନେ ଖୋଜି ତା'ର ଘର ଲୋକଙ୍କୁ ଖବର ଦିଆଯାଇ ଖୋଜା ଯାଇଥିଲା।ଅନେକ ସମୟ ପରେ ପିଲାଟିକୁ ସେଠାରେ ଥିବା ଏକ ବାକ୍ସ ଭିତରୁ ପାଇଥିଲେ । ପରେ ଡାକ୍ତରଖାନାକୁ ନିଆଜିବାରୁ ପିଲାଟି ବଂଚିଯାଇଛି ।ରବିବାର ଏହି ଘଟଣା ପଦାକୁ ଆସିଛି।
ତେବେ ଏଠାରେ ପ୍ରଶ୍ନ ଉଠୁଛି, ୮ ବର୍ଷ ଧରି ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷୟତ୍ରୀ ରାତିରେ ରହୁନଥିଲେ ଘଟଣା ଦିନ ରାତିରେ ମଧ୍ୟ ନଥିଲେ ସେ ଯାଗାରେ ଅଧିକାରୀ ମାନେ କରୁଥିଲେ କଣ ? ଘଟଣାଟି ଘଟିବା ପରେ ଏହାକୁ ଲୁଚା ଯାଇଥିଲା କାହିଁକି ? ଜିଲ୍ଲା ବିଭାଗୀୟ ଅଧିକାରୀ ମାନେ ଜିଲ୍ଲା ମୁଖ୍ୟାଳୟରେ ବସି ରହୁଥିବାରୁ ଏହିଭଳି ସ୍ଥିତିରେ ଚାଲିଛି ଆଶ୍ରମ ସ୍କୁଲ ଗୁଡିକ ବୋଲି ବାରମ୍ବାର ଅଭିଯୋଗ ହେଉଛି, କେବେ ହେଲେ ନା ଜିଲ୍ଲାପାଳ ନା ବିଭାଗର ମୁଖ୍ୟ କେହି ଏସବୁ ଅଁଚଳକୁ ଯାଉନାହାନ୍ତି। ଫଳରେ ମେରୀ ରାୟ ନୀତିରେ ଜିଲ୍ଲାରେ ଚାଲିଛି ବିଭିନ୍ନ ଆଶ୍ରମ ସ୍କୁଲ ଓ ଏହାର ପରିଚାଳନା ବ୍ୟବସ୍ଥା । ତେଣୁ ଘଟଣା ସଂପର୍କରେ ବିଭାଗୀୟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେଇ ଦୀର୍ଘ ୨୪ ବର୍ଷ ହେଲା ଜିଲ୍ଲାରେ ଚାଲିଆସିଥିବା ଏଭଳି ଅବ୍ୟବସ୍ଥା ଉପରେ ରୋକ ଲଗାଇ ସରକାରଙ୍କର ଆଶ୍ରମ ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ