ଖୋର୍ଦ୍ଧା, ୧୪ ସେପ୍ଟେମ୍ବର (ହି.ସ.) - ଏଣିକି ଶନିବାର ସାଢେ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ। ଏନେଇ ଖୋର୍ଦ୍ଧା ଜିଲା ଶିକ୍ଷାଧିକାରୀ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଜିଲା ଶିକ୍ଷାଧିକାରୀ। ଏନେଇ ଖୋର୍ଦ୍ଧା ଜିଲାର ସମସ୍ତ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି।ଚିଠିରେ ଉଲ୍ଲେଖ ରହଛି କି ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶାଳୀନ ପଣ୍ଡିତ ଦୁଇ ଦିନିଆ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସିଥିବା ବେଳେ ବେଗୁନିଆ ବ୍ଳକର ବିଭିନ୍ନ ପ୍ରାଥମିକ ସ୍କୁଲ ପରିଦର୍ଶନରେ ଯାଇଥିଲେ। ସେଠାରେ କିଛି ପ୍ରାଥମିକ ସ୍କୁଲ ୧୧ଟା ସୁଦ୍ଧା ବନ୍ଦ ହୋଇଥିବା ଦେଖିବାକୁ ପାଇଥିଲେ। ଏପରିକି ଶନିବାର ସଠିକ୍ ଭାବେ ସ୍କୁଲ ପରିଚାଳନା ହେଉ ନ ଥିବା ଦେଖିଥିଲେ। ତାହାକୁ ନେଇ ସଚିବ ଅସନ୍ତୋଷ ପ୍ରକାଶ କରିଥିଲେ। ଶିକ୍ଷ୍ୟା ବିଭାଗ କ୍ୟାଲେଣ୍ଡର, ୨୦୨୫-୨୬ରେ ନିର୍ଦ୍ଦିଷ୍ଟ ସମସ୍ତ କାର୍ଯ୍ୟକଳାପି ବିଶେଷକରି ଶନିବାର ସ୍କୁଲ ସମୟ ସମ୍ପର୍କରେ କଡ଼ା ଅନୁପାଳନ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ପରିସ୍ଥିତିରେ ଶନିବାର ଦିନ ୧୨:୩୦ ଟା ପୂର୍ବରୁ ଯେକୌଣସି ବିଦ୍ୟାଳୟ ବନ୍ଦ କରାଯିବ ନାହିଁ। ଏହି କ୍ଷେତ୍ରରେ ଯେକୌଣସି ଅବହେଳାକୁ ଗମ୍ଭୀରତାର ସହ ବିଚାର କରାଯାଇ ନିୟମ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନୁପାଳନ ସୁନିଶ୍ଚିତ କରିବା ପାଇଁ ସମ୍ପୃକ୍ତ ବ୍ଲକର ବିଇଓମାନେ ଦାୟୀ ରହିବେ।
ହିନ୍ଦୁସ୍ଥାନ ସମାଚାର / ରାକେଶ