ମୁଖୀଗୁଡା, ୧୪ ସେପ୍ଟେମ୍ବର (ହି.ସ.)- ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣାର ବହୁ ପ୍ରତିକ୍ଷୀତ ଶୌଚାଳୟ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ଦ୍ଵାରା ଶୁଭ ଉଦ୍ଘାଟିତ ହୋଇଯାଇଛି । ହେଲେ ଏହି ଶୌଚାଳୟ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଜି ଶୌଚାଳୟର ଶୁଭ ଉଦ୍ଘାଟନ ଅବସରରେ ଲାଞ୍ଜିଗଡ଼ ବିଧାୟକ ପଶ୍ଚିମ ଓଡିଶା ବିକାଶ ପରିଷଦରୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା କହିଥିବା ବେଳେ ଶୌଚାଳୟ ନିକଟରେ ଲାଗିଥିବା ସୂଚନା ଫଳକରେ ଅଟକଳ ମୂଲ୍ୟ ୧୦ ଲକ୍ଷ ଟଙ୍କା ଲେଖାଯାଇଛି । ବିଧାୟକଙ୍କ କହିବା ଅନୁଯାୟୀ ୨୦ ଲକ୍ଷ ଟଙ୍କା ପଶ୍ଚିମ ଓଡିଶା ବିକାଶ ପରିଷଦରୁ ଦିଆଗଲା ତେବେ ବାକି ୧୦ ଲକ୍ଷ ଟଙ୍କା କୁଆଡେ ଗଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଏନେଇ ବିଧାୟକଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ଜୟପାଟଣାରେ ଏକ ଶୌଚାଳୟର ଆବଶ୍ୟକତା ରହିଥିଲା ଗତ ୮/୧/୨୦୨୪ରେ ଲାଞ୍ଜିଗଡ଼ ବିଧାୟକଙ୍କ ଦ୍ଵାରା ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ହେଲେ ନିର୍ମାଣ କାର୍ଯ୍ୟଶେଷ ହେବା ବିଳମ୍ବ ହେତୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଠିକାଦାରଙ୍କ ତତ୍ପରତା ପ୍ରକାଶ ପାଇଥିଲା ।
ଆଜି ଏହି ଶୁଭଉଦ୍ଘାଟନ ଅବସରରେ, ଜୟପାଟଣା ସମିତି ସଭ୍ୟା ରଶ୍ମିତା ଦୁରିଆ, ଜୟପାଟଣା ସରପଞ୍ଚ ମୌସୁମୀ ଡ଼ଙ୍ଗରି, ବିଜେଡ଼ି ନେତା ସତ୍ୟ ନାରାୟଣ ଅଗ୍ରୱାଲ, ଜିତେନ୍ଦ୍ର ନାରାୟଣ ସିଂଦେଓ, ମଣ୍ଡୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ନିହାର