ଭୁବନେଶ୍ୱର,୧୪ ସେପ୍ଟେମ୍ବର (ହି.ସ.) - ବିଭିନ୍ନ ଦାବି ନେଇ ପ୍ରାଥମିକ ଶିକ୍ଷକମାନେ ଆସନ୍ତା ସେପ୍ଟେମ୍ବର ୨୦ ତାରିଖରେ ବିଧାନସଭା ଅଧିବେଶନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଖାରବେଳ ନଗରସ୍ଥିତ ଶ୍ରମିକ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ଓ ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁ କହିଛନ୍ତି। ଶିକ୍ଷା ବ୍ୟବସ୍ଥାରେ ଉପୁଜିବା ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ବୋଲି ସଂଘର ନେତୃତ୍ୱମାନେ ଚେତାବନୀ ଦେଇଛନ୍ତି।
ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ, ବିଷୟଭିତିକ ଲେବୁଲ-୪ ପ୍ରଧାନଶିକ୍ଷକ ଓ ଲେବୁଲ୍-ଭି(ବି) ପଦବୀ ଖାଲି ପଡ଼ିଥିବା ବେଳେ ପଦଗୁଡ଼ିକୁ ପୂରଣ କରାଯାଉ ନାହିଁ। ୨୦୧୯ ମସିହାରେ ପ୍ରାଥମିକ ଶିକ୍ଷକମାନଙ୍କ କ୍ୟଡର ରୁଲ୍ ସଂଶୋଧନରେ ୨୦୧୧ ମସିହା ପରେ ଶିକ୍ଷକ ନିଯୁକ୍ତି ପାଇଁ ଓଟିଇଟି ଆବଶ୍ୟକ ବୋଲି କୁହାଯାଇଥିଲା। କିନ୍ତୁ ଟିଇଟି ଲାଗୁ ହେବାର ୧୫ ବର୍ଷ ପରେ ପଦୋନ୍ନତିରେ ୨୦୧୧ ମସିହା ପୂର୍ବ ନିଯୁକ୍ତି ଶିକ୍ଷକମାନଙ୍କ ପଦୋନ୍ନତି ପାଇଁ ଟିଇଟି ବାଧ୍ୟତାମୂଳକ କରାଯାଉଛି ଏବଂ ଟିଇଟି ପରୀକ୍ଷା ଆଳ ଦେଖାଇ ପ୍ରାଥମିକ ଶିକ୍ଷକମାନଙ୍କ ପଦୋନ୍ନତିକୁ ୪ ବର୍ଷ ହେବ ବନ୍ଦ କରାଯାଇଛି। ପୁନଶ୍ଚ ଏସ୍ସି, ଏସ୍ଟି, ଏସଇବିସି ଓ ପିଏଚ୍ ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ନିମନ୍ତେ ୩୫ ପ୍ରତିଶତ ନମ୍ବର ଓ ସାଧରଣବର୍ଗ ନିମନ୍ତେ ୪୫ ପ୍ରତିଶତ ନମ୍ବର ଥିବାବେଳେ ଏସ୍ସି, ଏସ୍ଟି, ଏସଇବିସି ଓ ପିଏଚ୍ ପ୍ରାଥମିକ ଶିକ୍ଷକ ଯୋଗ୍ୟତା ନିମନ୍ତେ ୫୦ ପ୍ରତିଶତ ନମ୍ବର ଓ ସାଧରଣବର୍ଗ ପ୍ରାଥମିକ ଶିକ୍ଷକ ଯୋଗ୍ୟତା ନିମନ୍ତେ ୬୦ ପ୍ରତିଶତ ନମ୍ବର ରଖାଯାଇଛି। ଯାହାକି ପ୍ରାଥମିକ ଶିକ୍ଷକମାନଙ୍କୁ ପାତର ଅନ୍ତ ହେଉଛି ବୋଲି ସଂଘ ଅଭିଯୋଗ କରିଛି। ୨୨ଟି ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ଢାଞ୍ଚାରେ ଦରମା (୪୨୦୦ ଗ୍ରେଡ଼ ପେ), ଚାକିରି ସର୍ତ୍ତାବଳୀ, ଗ୍ରାଚ୍ୟୁଇଟି ଆଦି ସୁବିଧା ସୁଯୋଗ ଦିଆଯାଉଥିବା ବେଳେ ଆମ ରାଜ୍ୟର ପ୍ରାଥମିକ ଶିକ୍ଷକମାନଙ୍କୁ ୨୨୦୦ ଗ୍ରେଡ଼ପେରେ ଦରମା ଦିଆଯାଉଥିବାରୁ ଶିକ୍ଷା ଅଧିକାର ଆଇନକୁ ଉଲଙ୍ଘନ କରାଯାଉଛି।
ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ ଉଠିବା ବିଜ୍ଞପ୍ତି ବାହାର କରିବା, ସମସ୍ତ ଲେବୁଲ-ଭି (ଏ) ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା, ୬ ବର୍ଷର ଶିକ୍ଷା ସହାୟକ/କନିଷ୍ଠ ଶିକ୍ଷକଙ୍କ କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରିବା, ଶିକ୍ଷକମାନଙ୍କ ପାଇଁ ସ୍ୱାସ୍ଥ୍ୟବୀମା ଲାଗୁ କରିବା ଓ ପୁରୁଣା ପେନସନ ପୁନଃ ପ୍ରଚଳନ କରିବା ଆଦି ଦାବିଗୁଡ଼ିକ ସରକାର ଗୁରୁଦିବସରେ ଘୋଷଣା କରିବେ ବୋଲି ପ୍ରାଥମିକ ଶିକ୍ଷକମାନେ ଆଶା କରିଥିଲେ। ମାତ୍ର ସରକାର ଘୋଷଣା ନ କରିବାରୁ ପ୍ରାଥମିକ ଶିକ୍ଷକମାନେ ବାଧ୍ୟ ହୋଇ ଆସନ୍ତା ସେପ୍ଟେମ୍ବର ୨୦ ତାରିଖରେ ବିଧାନସଭା ଅଧିବେଶନରେ ଆନ୍ଦୋଳନକୁ ଓହ୍ଲାଇବେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା