ସମ୍ବଲପୁର, ୧୪ ସେପ୍ଟେମ୍ବର (ହି.ସ.)- ସ୍ଥାନୀୟ ଦାନୀପାଲି ସ୍ଥିତ ରଣେଶ୍ଵର ରାମଚଣ୍ଡୀ ମନ୍ଦିରରେ ଆଶ୍ୱିନ ମାସ କୃଷ୍ଣପକ୍ଷ ମୁଳାଷ୍ଟମୀରୁ ଅର୍ଥାତ୍ ଆଜି ଠାରୁ ଷୋହଳ ପୂଜା ଆରମ୍ଭ ହୋଇଛି । ରବିବାର ସକାଳୁ ଦେବୀଙ୍କୁ ସ୍ନାନ କରାଯାଇ ପୂଜା କାର୍ଯ୍ୟ ଆରମ୍ଭ ହୋଇଛି । ଷୋହଳ ପୂଜାର ପ୍ରଥମ ଦିନରେ ରଣେଶ୍ଵର ରାମଚଣ୍ଡୀଙ୍କ ପୂଜା ପରେ ଶ୍ରୀ ଗଣେଶଙ୍କ ପୂଜା ଅନୁଷ୍ଠିତ ହୋଇଛି ।
ଏହି ଉପଲକ୍ଷେ ଷୋହଳ ଦିନ ପ୍ରତିଦିନ ଦେବା ଦେବୀଙ୍କର ବିଶେଷ ପୂଜା କରାଯିବ । ଷୋହଳ ପୂଜାର ଅନ୍ତିମ ଦିନ ଅର୍ଥାତ ୨୯ ତାରିଖ ମହାଷ୍ଟମୀ ଦିନ ରାମଚଣ୍ଡୀଙ୍କ ବିଶେଷ ପୂଜା ସହ ସମାପନ ହେବ । ମହାଷ୍ଟମୀ ଦିନ ରାମଚଣ୍ଡୀ ସେବା ସଦନର ପ୍ରତିଷ୍ଠା ଦିବସ ହୋଇଥିବାରୁ ଏଥିପାଇଁ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ନେଇ କୁଲତା ସମାଜର ସମ୍ପାଦକ ରଞ୍ଜନ ପାତ୍ର ସୂଚନା ଦେଇଛନ୍ତି । ୨୨ ତାରିଖରୁ ନବରାତ୍ର ଅବସରେ ଭକ୍ତ ମାନଙ୍କର ମାନସିକ ଦୀପ ବସାଇବାର ବ୍ୟବସ୍ଥା କରାଯାଇଛି । ଭକ୍ତ ମାନେ ୯ ଦିନ, ୩ ଦିନ ଏପରିକି ଗୋଟିଏ ଦିନ ପାଇଁ ନିଜ ପରିବାର ପାଇଁ ମାନସିକ ଅଖଣ୍ଡ ଦୀପ ବସାଇ ପାରିବେ । ୨ ଅକ୍ଟୋବର ଦଶମୀ ଦିନ ପ୍ରସାଦ ସେବନ, ଅକ୍ଟୋବର ୫ ତାରିଖ ଅଶ୍ୱିନ ଚତୁର୍ଦ୍ଦଶୀ ସନ୍ଧ୍ୟାରେ ରଣେଶ୍ୱର ରାମଚଣ୍ଡୀ ଙ୍କର ବିଶେଷ ପୂଜା ସହ ଝଣ୍ଡା ଲଗାଯିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରକାଶ ଥାଉକି, ଷୋହଳ ପୂଜା ପାଇଁ ଶନିବାର ଦିନ ସନ୍ଧ୍ୟାରେ ମନ୍ଦିର ପୂଜକ ବାସୁଦେବ ଭୋଇ, ସୁଦାମ ପ୍ରଧାନ ଏବଂ ଦେବୀ ପ୍ରସାଦ ଭୋଇ ମା ରାମଚଣ୍ଡୀଙ୍କୁ ନୂତନ ବସ୍ତ୍ର ପରିଧାନ ସହ ଶୃଙ୍ଗାର କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ