ଚମ୍ପୁଆ, 21 ସେପ୍ଟେମ୍ବର (ହି.ସ.) ଚମ୍ପୁଆ ବନାଞ୍ଚଳ ରେ ଗୋଠଛଡା ଦନ୍ତାଙ୍କ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି। ଆଜି ଭୋର ସକାଳୁ ଶୌଚ ହେବାକୁ ଯାଉଥିବା ବେଳେ ଗୋଠଛଡା ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଚମ୍ପୁଆ ଥାନା ଅନ୍ତର୍ଗତ ସୁନାପଶି ପଞ୍ଚାୟତ ଯୋଡା ପୋଖରୀ ଗ୍ରାମର ନରୋତ୍ତମ ମହାନ୍ତ (୬୫)।ମିଳିଥିବା ସୂଚନା ଅନୁସାରେ ଆଜି ଭୋର ପ୍ରାୟ ପାଞ୍ଚ ଟା ବେଳେ ନରୋତ୍ତମ ଶୌଚ ହେବାକୁ ଯାଇଥିବା ବେଳେ ଦନ୍ତା ହାବୁଡ ରେ ପଡିଯାଇଥିଲେ । ଦନ୍ତାଟି ତାଙ୍କ ଛାତିରେ ମାଡି ଦେବା ସହ ଶୁଣ୍ଢରେ ଟେକି ଫିଙ୍ଗି ଦେଇଥିଲା । ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରୁ ନରୋତ୍ତମଙ୍କୁ ଉଦ୍ଧାର କରି ଚମ୍ପୁଆ ଡ଼ାକ୍ତରଖାନା କୁ ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଚମ୍ପୁଆ ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଯୋଗ୍ୟ କି ଗତ କାଲି ମୟୁରଭଞ୍ଜ କରଞ୍ଜିଆ ବନଖଣ୍ଡରୁ ଏହି ଦନ୍ତା ଟି ବୈତରଣୀ ନଦୀ ପାର ହୋଇ ଚମ୍ପୁଆ ବନାଞ୍ଚଳରେ ପ୍ରବେଶ କରିଥିଲା। ଆଜି ଦନ୍ତା ଟି ମୁକୁନ୍ଦପୁରରେ ଥିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta