ପୁରୀ, 21 ସେପ୍ଟେମ୍ବର (ହି.ସ.)
ଶ୍ରୀମନ୍ଦିରରୁ ଆଜି ରବିବାର ଅଶ୍ୱିନ ମାସ ମହାଳୟା ଅମାବାସ୍ୟା ତିଥିରେ ଅମାବାସ୍ୟା ନାରାୟଣଙ୍କ ସାଗର ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି| ସକାଳ ଧୂପ ବଢ଼ିଲା ପରେ ମହାଜନ ସେବାୟତ ଦକ୍ଷିଣୀ ଘରୁ ଶ୍ରୀ ନାରାୟଣ ମୂର୍ତ୍ତି ଙ୍କୁ ଆଣି ରତ୍ନସିଂହାସନ ରେ ବିଜେ କରାଇଥିଲେ। ପାଳିଆ ପୂଜାପଣ୍ଡା ଗରାବଡୁ ଙ୍କ ଠୁ ହତୁଆଣୀ ନେଇ ନାରାୟଣ ମୂର୍ତ୍ତିଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଆଜ୍ଞା ମାଳ ପ୍ରଦାନ କରିଥିଲେ । ଏହାପରେ ମହାଜନ ସେବାୟତ ନାରାୟଣ ଙ୍କୁ ମୁକ୍ତିମଣ୍ଡପ ନିକଟ ରେ ଥିବା ପାଲିଙ୍କିରେ ବିଜେ କରାଇଥିଲେ । ପାଲିଙ୍କି କୁ ସ୍କନ୍ଧରେ ବୋହି ଘଣ୍ଟ , ଛତ୍ର , କାହାଳୀ ରେ ସିଂହଦ୍ୱାର ଦେଇ ବାଲିସାହି ରାସ୍ତାରେ ସମୁଦ୍ର କୂଳ ସ୍ୱର୍ଗଦ୍ୱାର ଠାରେ ବିଜେ କରିଥିଲେ।
ସମୂଦ୍ରକୂଳ ବାଲି ରେ ବିଜେ ହେବା ପରେ ଗରାବଡୁ ସେବାୟତ ସମୁଦ୍ର ରୁ ପାଣି ଆଣି ପଣ୍ଡା ଙ୍କ ହାତକୁ ବଢ଼ାଇଥିଲେ। ପୂଜାପଣ୍ଡା ଜଳ ସଂସ୍କାର କରି ଠାକୁରଙ୍କୁ ଲାଗି କରାଇଥିଲେ। ସାବତ ନିଯୋଗ ପକ୍ଷରୁ ପଣା ଭୋଗ ହୋଇଥିଲା। ଆଳତି , ବନ୍ଦାପନା ପରେ ଠାକୁର ବିମାନରେ ଜମେଶ୍ୱର ମହାଦେବ ଙ୍କ ମନ୍ଦିର ଭିତର ଗମ୍ଭୀରାକୁ ବିଜେ ହୋଇଥିଲେ। ଦହି ଓ ପଞ୍ଚାମୃତ ରେ ମହାସ୍ନାନ କରାଯାଇଥିଲା। ଖଇ ଓ କୋରା ଆଦି ଶୀତଳ ଭୋଗ ହୋଇ ବନ୍ଦାପନା ହୋଇଥିଲା | ନୀତି ସରିବା ପରେ ଶ୍ରୀ ନାରାୟଣ ଙ୍କୁ ହରଚଣ୍ଡୀ ସାହି ଓ ମଣିକର୍ଣ୍ଣିକା ସାହି ଦେଇ ସିଂହଦ୍ୱାର ବାଟେ ଶ୍ରୀମନ୍ଦିର କୁ ବାହୁଡା ବିଜେ କରିଥିଲେ | ସମୁଦ୍ରକୂଳେ ଅମାବାସ୍ୟା ତିଥିରେ ପାଲିଙ୍କି ଉପରେ ଅମାବାସ୍ୟା ନାରାୟଣ ଙ୍କୁ ଦର୍ଶନ କଲେ ମହାପୂଣ୍ୟ ହୋଇଥାଏ ବୋଲି ବିଶ୍ୱାସ ରହିଛି |
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ