ବାରିପଦା, ୨୮ ସେପ୍ଟେମ୍ବର (ହି.ସ.)- ବାରିପଦା ସହର ଉପକଣ୍ଠ ବାଉରା ଛକ ନିକଟରେ ଅଟୋ-ବାଇକ ମୁହାଁମୁହିଁ ଧକ୍କାରେ ଯୁବକଙ୍କ ଛାତିରେ ଲୁହା ଛଡ଼ ପଶି ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ ସାନ ବ୍ରାହ୍ମଣମରା ଗ୍ରାମର ଲାଦୁ ହେମ୍ବ୍ରମ।
ସୂଚନା ଅନୁଯାୟୀ, ଲାଦୁ ତାଙ୍କ ଝିଅକୁ ନେଇ ବାଇକ ଯୋଗେ ଘରକୁ ଯାଉଥିଲେ। ବାଉରା ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଅଟୋ ତାଙ୍କୁ ସାମ୍ନାରୁ ଧକ୍କା ଦେଇଥିଲା। ଯାହା ଫଳରେ ଲାଦୁ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ପଡିଥିଲେ । ଫଳରେ ରାସ୍ତା ପାର୍ଶ୍ବରେ ରହିିିଥିବା ଏକ ଲୁହା ଛଡ଼ଟି ତାଙ୍କ ଛାତିରେ ପଶି ପିଠି ପଟକୁ ବାହାରି ଯାଇଥିଲା। ଏହା ସହିତ ତାଙ୍କ ସାନ ଝିଅ ମଧ୍ୟ ଆହତ ହୋଇଥିଲା। ଲାଦୁଙ୍କୁ ଚେତାଶୂନ୍ୟ ଅବସ୍ଥାରେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ପିଆରଏମ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ବାରିପଦା ସଦର ଥାନାରେ ଏକ ମାମଲା ରୁଜୁ ହୋଇଛି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ