କେନ୍ଦ୍ରାପଡ଼ା, ୨୮ ସେପ୍ଟେମ୍ବର(ହି.ସ.) – ଯୁଗ ଯୁଗ ଧରି ନଦୀକୁ ମା ' ରୂପରେ ପୂଜା କରାଯାଇଥାଏ। ପ୍ରତ୍ୟେକ ଦେବଦେବୀଙ୍କର ଆରାଧନା ପାଇଁ ନଦୀ ତୁଠରୁ ଜଳ ଆଣିବା ସହ ମୁନିଋଷିମାନଙ୍କର ତର୍ପଣ ନଦୀ ଜଳରେ କରାଯିବାର ପରମ୍ପରା କେଉଁ ଅନାଦି କାଳରୁ ରହି ଆସିଅଛି। ମାନବ ସଭ୍ୟତା ନଦୀକୁ ଭରସା କରି ଗଢି ଉଠିଥିଲା ବୋଲି ଶାସ୍ତ୍ରରେ ବର୍ଣ୍ଣନ ଅଛି। ବିଜ୍ଞାନ ଯୁଗରେ ଏହାକୁ ଅଣଦେଖା କରାଯାଇ ନଦୀର ରୂପକୁ ବିଭିନ୍ନ ଆବର୍ଜ୍ଜନା ପକାଇ କଳକାରଖାନାର ଦୂଷିତ ଜଳ କ୍ଷେପଣ କରି ବିକୃତ କରିବାରେ ଲାଗିଛନ୍ତି ମାନବ ସମାଜ। ଯାହାକୁ ଦିନେ ଦେବତା ରୂପରେ ପୂଜା କରାଯାଉଥିଲା ଆଜି ତା’ ପ୍ରତି ଅତ୍ୟାଚାରର ସୀମା ଟପିଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବାହିତ ଗୋବରୀ ନଦୀ ଜିଲ୍ଲାବାସୀଙ୍କ ପାଇଁ କୃଷି କାର୍ଯ୍ୟ ଠାରୁ ଆରମ୍ଭ କରି ସ୍ନାନ ପର୍ଯ୍ୟନ୍ତ ପ୍ରତିଟି କାର୍ଯ୍ୟରେ ସାହା ହୋଇଥିଲା। ମାତ୍ର ଆଜି ତାହା ସହରର ଆବର୍ଜ୍ଜନାକୁ କୋଳରେ ଧରି ଏପରି ପ୍ରଦୂଷିତ ହୋଇଯାଇଛି ଯେ, ତାହା ଆଶାର ବାହାରେ। ଏସବୁକୁ ଲକ୍ଷ୍ୟକରି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ନଦୀର ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି ପାଇଁ ନଦୀ ପୂଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଟ୍ରଷ୍ଟର ସଭାପତି ଦମନ ମହାନ୍ତିଙ୍କ ପ୍ରତ୍ୟକ୍ଷ ପ୍ରଚେଷ୍ଟାରେ ଶୁଭେଚ୍ଛୁମାନଙ୍କୁ ନେଇ ଆଳିଜଙ୍ଗା ଗ୍ରାମର ଗୋବରୀ ନଦୀ କୂଳରେ ଆଧ୍ୟାତ୍ମିକ ରୀତିରେ ଯାଜ୍ଞିକ ପଣ୍ଡିତଙ୍କ ଦ୍ୱାରା ହୋମ ଯଜ୍ଞ ଓ ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଂଚଳିକ ବାସିନ୍ଦାଙ୍କ ସହ ଆଲୋଚନା କରି ଏହାକୁ ଆବର୍ଜନା ମୁକ୍ତ ରଖିବା ପାଇଁ ସଚେତନତା ସୃଷ୍ଟି କରାଯାଇଛି। ଭବିଷ୍ୟତକୁ ଦୃଷ୍ଟିରେ ରଖି ଜଳ ସମ୍ପଦର ସୁରକ୍ଷା ସମସ୍ତଙ୍କର ଗୁରୁ ଦାୟିତ୍ୱ ହେବା ଉଚିତ୍ ବୋଲି ଟ୍ରଷ୍ଟର ସମ୍ପାଦକ ରାଜେଶ କୁମାର ବାରିକଙ୍କ ତରଫରୁ ଆହ୍ୱାନ ଦିଆଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗୀୟ ଅଧିକାରୀ ସଞ୍ଜୀବ କୁମାର ତରାଇ, ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ନାୟକ, ଅରକ୍ଷିତ ସ୍ୱାଇଁ, ମଧୁସୂଦନ ରାଉତ, ପୂଜକ ପବିତ୍ର କୁମାର ଷଡଙ୍ଗୀ, ତପନ କୁମାର ନାଥ, ସଂଗ୍ରାମ କୁମାର ଦାସ, ସିନୁ କୁମାର ରାଓ, ଅମିୟ ସାହୁ, ମନୋଜ କୁମାର ରାଉତ, ବିଶ୍ୱଜିତ ସାହୁ, ପ୍ରମୋଦ କୁମାର ନାଥ, ବବୁଲ ମହାନ୍ତି ଓ ଗ୍ରାମର କୁନି ପିଲାମାନେ ପ୍ରମୁଖ ଯୋଗ ଦେଇ ନଦୀ ପୂଜନ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି