କେନ୍ଦୁଝର, ୨୮ ସେପ୍ଟେମ୍ବର (ହି.ସ.)- ସଦର ବ୍ଲକ ଶିରିଷପାଳ ପଞ୍ଚାୟତ ଅନ୍ତର୍ଗତ ମୋଟିଟାଙ୍ଗିରି ଶୀତିକଣ୍ଠେଶ୍ୱର ଭାଗବତ ଟୁଙ୍ଗିର ବାର୍ଷିକ ଉତ୍ସବ ଆନୁକୁଲ୍ୟରେ ଅନୁଷ୍ଠିତ ଦ୍ବିତୀୟ ବାର୍ଷିକ ସାପ୍ତାହିକ ଭାଗବତ ପାରାୟଣ ଉଦଯାପିତ ହୋଇଯାଇଛି। ପୂର୍ଣ୍ଣାହୁତି ଯଜ୍ଞ ପରେ କେନ୍ଦୁଝର ଗଡ ପୌରାଞ୍ଚଳ ଭାଗବତ ପ୍ରଚାର ପ୍ରସାର ସମିତି ସମ୍ପାଦକ ଅକ୍ଷୟ କୁମାର ଦାସଙ୍କ ସଂଯୋଜନା ଓ ଟୁଙ୍ଗି ସଭାପତି ପାଲା ଗାୟକ ପ୍ରସନ୍ନ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଭାଗବତ ସତସଙ୍ଗ ଅଧିବେଶନ ତଥା ସଦର ବ୍ଲକ ଚତୁର୍ଥ ବାର୍ଷିକ ପାଲା ଗାୟକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଟୁଙ୍ଗି ସମ୍ପାଦକ ଜୟଦେବ ମହାକୁଡ ଓ ମୁଖ୍ୟ କର୍ତ୍ତା ବୁଦ୍ଧଦେବ ମହାକୁଡ ମଞ୍ଚାସିନ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉପ ଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।ଏଥିରେ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ ମୁଖ୍ୟ ଅତିଥି, ସଦର ବ୍ଲକ ପାଲା ଗାୟକ ସଂଘ ସଭାପତି ବରିଷ୍ଠ ଗାୟକ ନିତ୍ୟାନନ୍ଦ ପଲେଇ ମୁଖ୍ୟ ବକ୍ତା, କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସମ୍ପାଦକ ପ୍ରାଧ୍ୟାପକ ଜଗନ୍ନାଥ ଜେନା,ଉପଦେଷ୍ଟା ଭଜ ବେହେରା, ସଦର ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ପ୍ରସନ୍ନ କୁମାର ଦାସ, ବରିଷ୍ଠ ଗାୟକ ବସନ୍ତ କୁମାର ବାରିକ, ଲକ୍ଷ୍ମୀ ବଲ୍ଲଭ ସାହୁ ଓ ଉତ୍ତମ କୁମାର ସେଠୀ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ଭାଗବତ ପୂଜନ ପଠନ ଓ ଶ୍ରବଣର ମାହାତ୍ମ୍ୟ ଏବଂ ପାଲା ସଂସ୍କୃତି ସମ୍ବନ୍ଧରେ ଆଲୋକପାତ କରିଥିଲେ । ଭାଗବତ ଦରବାରରେ ଉପସ୍ଥିତ ଭଗବତ୍ ରସଗ୍ରାହୀ ସଜ୍ଜନ ମାନଙ୍କୁ ଧନ୍ୟବାଦ ଅର୍ପଣ କଲେ ଟୁଙ୍ଗି ଉପସଭାପତି ସତ୍ୟାନନ୍ଦ ପାତ୍ର । ପରିଶେଷରେ ପାଲା ସମ୍ମିଳନୀର ସଫଳ ରୂପାୟନ ପାଇଁ ପାଲା କଳାକାର ମାନଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା ଏବଂ ପାଲାଗାୟକ ଧନେଶ୍ଵର ଘଣା, ସ୍ୱପ୍ନେଶ୍ୱର ମହାନ୍ତ ଓ ସୁରେଶ ଚନ୍ଦ୍ର ମହାନ୍ତ ତାଙ୍କର ସାଥୀ ମାନଙ୍କ ସହିତ ପାଲା ପରିବେଷଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରଭାତୀ ମହାକୁଡ, ରଶ୍ମିତା ମହାକୁଡ, କରମୀ ମହାକୁଡ, ଅହଲ୍ୟା ମହାକୁଡ, ସୌଦାମିନୀ ମହାକୁଡ, ଲୀଳାବତୀ ମହାକୁଡ ଓ ଚକ୍ରଧର ମହାକୁଡ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA