ବରଗଡ଼, ୨୮ ସେପ୍ଟେମ୍ବର (ହି.ସ.)- ବରଗଡ଼ର ଗ୍ରାମ୍ୟଦେବୀ ମା’ ସମଲେଶ୍ୱରୀଙ୍କ ଶାରଦୀୟ ନବ ଦିନାତ୍ମକ ପୂଜା ଜାରି ରହିଛି । ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ପୂଜା ଉତ୍ସବ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ମା’ ସମଲେଶ୍ୱରୀଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରାଯାଉଛି । ଆଜି ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ତଥା ନବରାତ୍ରିର ସପ୍ତମ ଦିବସରେ ଦେବୀଙ୍କୁ କାଳରାତ୍ରି ବେଶରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରାଯାଉଛି । ଏହି ଅବସରରେ ମାଙ୍କ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଭକ୍ତମାନେ ଯେପରି ସୁବିଧାରେ ମା ଙ୍କ ଦର୍ଶନ କରିପାରିବେ ସେନେଇ ମନ୍ଦିର କମିଟୀ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ପ୍ରକାଶ ଥାଉକି, ୨୨ ତାରିଖରେ ମାଙ୍କ ଶୈଳପୁତ୍ରୀ ବେଶ, ୨୩ ତାରିଖରେ ବ୍ରହ୍ମଚାରିଣୀ ବେଶ, ୨୪ ତାରିଖରେ ମା ସମଲେଶ୍ୱରୀଙ୍କ ଚନ୍ଦ୍ରଘଣ୍ଟା ବେଶ, ୨୫ ତାରିଖରେ କୁଷ୍ମାଣ୍ଡା ବେଶ, ୨୬ ତାରିଖରେ ସ୍କନ୍ଧମାତା ବେଶ ଏବଂ ୨୭ ତାରିଖରେ ମା ସମଲେଶ୍ୱରୀଙ୍କ କାତ୍ୟାୟନୀ ବେଶ ଅନୁଷ୍ଠିତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ