ବଲାଙ୍ଗିର, ୨୮ ସେପ୍ଟେମ୍ବର (ହି.ସ.)- ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ସିଲେଟପଡା ଠାରେ ଆଟଗାଁ ଗ୍ରାମ ପଞ୍ଚାୟତ ଯାଦବ ମହାସଭାର ଆୟୋଜନ କ୍ରମେ ପୁଇଁନ୍ତଲା ବ୍ଲକ ଯାଦବ ମହାସଭାର ନୂଆଁଖାଇ ଜୁହାର ଭେଟ କାର୍ଯ୍ୟକ୍ରମ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ସମାଜର ଗଉଡବାଡି ଓ ମାଁ ଚଣ୍ଡୀ ସମଲେଇଙ୍କ ରଥକୁ ଗ୍ରାମ ପରିକ୍ରମା କରଯାଇଥିଲା l ସମାଜର ପତାକାକୁ ସମାଜର କର୍ମକର୍ତ୍ତା ମାନେ ଉତ୍ତୋଳନ କରିଥିଲେ। ବ୍ଲକ ସଭାପତି ଅନିରୁଦ୍ଧ ବଗର୍ତ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ନୂଆଖାଇ ଜୁହାର ଭେଟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯାଦବ ସମାଜ ଜିଲ୍ଲା ସଭାପତି ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗଦେଇ ଶ୍ରୀକୃଷ୍ଣ ମହାପ୍ରଭୁ ଏବଂ ମା ଚଣ୍ଡୀ ସମଲେଇଙ୍କ ଠାରେ ଦୀପ ପ୍ରଜ୍ୱଳ ଓ ପୁଷ୍ପ ମାଲ୍ୟ ଅର୍ପଣ କରିଵା ସହ ଯାଦବ ସମାଜକୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଯୁବ ଯାଦବ ମାନେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ସମାଜରେ ନାରୀ ଶିକ୍ଷାର ଉନ୍ନତି, ସ୍ୱାସ୍ଥ୍ୟ ସେବା ଓ ଅର୍ଥନୈତିକ ଅଭିବୃଦ୍ଧି ଉପରେ ସମସ୍ତେ ଗୁରୁତ୍ୱ ଦେବା ସମୟ ଆସିଛି ବୋଲି କହିଥିଲେ। ସମାଜର ସାଙ୍ଗଠନିକ ଉନ୍ନତି ପାଇଁ ମୁଁ ସବୁବେଳେ ପ୍ରସ୍ତୁତ ଅଛି ବୋଲି ପ୍ରକାଶ କରିଥିଲେ।
ଏହି ନୂଆଖାଇ ଜୁହାର ଭେଟ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପ ସଭାପତି ପ୍ରଦୀପ କୁମାର ସେଲମା, ବ୍ଲକ କୋଷାଧ୍ୟକ୍ଷ ମହାଦେବ ବାଙ୍କ, ଜିଲ୍ଲା ଯୁବ ଯାଦବ ସଭାପତି ସୁବ୍ରତ ନାଗ, ଜିଲ୍ଲା ସଂପାଦକ ଖୁସିରାମ ଦୀପ, ବ୍ଲକ ଉପ ସଭାପତି ଚନ୍ଦ୍ରବଦନ ବଗର୍ତ୍ତୀ, ବ୍ଲକ ସହ ସଂପାଦକ ଜଗନ୍ନାଥ ଚନ୍ଦନ, ପୌରାଞ୍ଚଳ ସଭାପତି ସନ୍ଦୀପ ବାଗ, ଲୋଇସିଂହା ବ୍ଲକ ସଭାପତି ଉତ୍ତମ ହେର୍ଣ୍ଣା, ସଭା ନେତ୍ରୀ ମୃମୟୀ ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ ! ଆୟୋଜନ କମିଟିର ସଭାପତି ମନୋଜ ମାହାର ଓ ସଂପାଦକ ଭୋଜରାଜ କାଲସାଏ ଅତିଥି ମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ଜିଲ୍ଲା ସହ ସଂପାଦକ ଦେବେନ୍ଦ୍ର ହାତୀ ଧନ୍ୟବାଦ ଅର୍ପଣ କରିଥିଲେ। ସଭାକାର୍ଯ୍ୟ ପରେ ସମାଜର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ