ଚମ୍ପୁଆ, ୨୮ ସେପ୍ଟେମ୍ବର (ହି.ସ.)- ଚମ୍ପୁଆ ବ୍ଲକ ପଡୁଆ ପଞ୍ଚାୟତ ଅନ୍ତର୍ଗତ ପଡୁଆ - ମଙ୍ଗଳପୁର ମଝିରେ ଥିବା ମେର୍ମେଦା ନାଳ ପୋଲ ଲଗାଣ ବର୍ଷାରେ ଧୋଇଯିବା କାରଣରୁ ଲୋକଙ୍କ ଯିବା ଆସିବା ପାଇଁ ମରଣଯନ୍ତାରେ ପରିଣତ ହୋଇଛି। ଚମ୍ପୁଆ ବ୍ଲକ ର ଜାଲି, ଭୂଇଁପୁର ଓ ପଡୁଆ ତିନି ପଞ୍ଚାୟତର ଲୋକେ ପ୍ରତିଦିନ ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ଏହି ଗୋଟିଏ ରାସ୍ତା ଉପରେ ନିର୍ଭର କରିଥାନ୍ତି। ପ୍ରାୟ ଦୀର୍ଘ ତିରିଶି ବର୍ଷ ପୂର୍ବେ ନିର୍ମିତ ଏହି ମେର୍ମେଦା ନାଳ ପୋଲ ରାସ୍ତା ମରାମତି ଅଭାବରୁ ଦୁର୍ବଳ ଅବସ୍ଥାରେ ରହିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କିମ୍ବା ପଞ୍ଚାୟତ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ପ୍ରତି ବର୍ଷ କିଛି ସ୍ଥାନୀୟ ଯୁବକ ମାଟି ପକାଇ ରାସ୍ତାକୁ ସମତୁଲ କରିଥାନ୍ତି। ଏବେ ପୋଲର ଦୁଇ କଡ଼ ରାସ୍ତା ଲଗାଣ ବର୍ଷାରେ ଧୋଇ ଖାଲ ହୋଇ ଯାଇଛି। କେବଳ ଦୁଇ ଚକିଆ ସାଇକେଲ, ମୋଟରସାଇକେଲକୁ ଛାଡି ଦେଲେ ଚାରିଚକିଆ ଛୋଟ ଜାନ ମଧ୍ୟ ଏହି ପୋଲ ଉପରେ ଯିବା କଷ୍ଟ ସାଧ୍ୟ ହୋଇପଡିଛି। ଫଳରେ ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ରୋଗୀ ମାନଙ୍କୁ ନେଇଯିବା ପାଇଁ ସିଲିପୁଞ୍ଜି ପଟୁ ଦୀର୍ଘ ଲମ୍ବା ରାସ୍ତା ବୁଲି ଯିବାକୁ ପଡୁଛି। ଯାହା ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କ ପାଇଁ ଜୀବନ ମରଣ ବିପଦ ସୃଷ୍ଟି କରୁଛି। ବର୍ତ୍ତମାନ ସାରା ରାଜ୍ୟରେ ଡବଲ ଇଞ୍ଜିନ ସରକାରଙ୍କ ଡବଲ ବିକାଶ ନେଇ ହଇଚଇ ସୃଷ୍ଟି କରୁଥିବା ବେଳେ ତୃଣମୂଳ ସ୍ତରରେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲି ମନଭାବ ଯୋଗୁଁ ଏପରି ସମସ୍ୟା ଗୁଡିକରେ ସୁଧାର ଆସୁନାହିଁ ବୋଲି ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି। ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta