କେନ୍ଦ୍ରାପଡ଼ା, ୨୮ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ାରେ ବିଶ୍ୱ ଜଳାନ୍ତକ ଦିବସ ଆତ୍ମା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ପ୍ରାଣି ଚିକିତ୍ସା ଅଧିକାରୀ ଡ଼ଃ ମନୋଜ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜଳାନ୍ତକ ଦିବସରେ ଅତିିରିକ୍ତ ଜିଲ୍ଲାପାଳ ରାଜସ୍ୱ ରବିନ୍ଦ୍ର କୁମାର ମଲିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋରଞ୍ଜଜ କୁମାର ରାଉତ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରମୋଦ କୁମାର ପ୍ରହରାଜ, ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର କୁମାର ବାରିକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁରେଶ ଚନ୍ଦ୍ର ମଲିକ ଏବଂ ଏସ୍ପିସିଏର ଉପାଧ୍ୟକ୍ଷ ଫକୀର ଚରଣ ଖଟୁଆ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଜଳାନ୍ତକ ରୋଗର ଭୟାବହ, ଲକ୍ଷଣ ଏବଂ ଏହାର ପ୍ରତିକାର ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ସାରା ବିଶ୍ୱରୁ କିଭଳି ଭାବରେ ଏହି ଜଳାନ୍ତକ ରୋଗ ଲୋପ ପାଇବ ଏବଂ ଏଥିପାଇଁ ମନୁଷ୍ୟ ଡାକ୍ତର, ପ୍ରାଣୀ ଚିକିତ୍ସକ, ଗୃହପାଳିତ ପ୍ରାଣୀମାନଙ୍କ ମାଲିକ ଏବଂ ସମାଜର ଭୂମିକା ବିଷୟରେ ଆଲୋଚନା କରାଯାଇଥିଲା। ଏହି ଅଲୋଚନା ଚକ୍ରରେ ଜିଲ୍ଲାର ପ୍ରାଣୀ ବିଭାଗର କର୍ମକର୍ତା, ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ମଚାରୀ, ଏସିଡିଏସ୍ କର୍ମକର୍ତା, ସମାଜସେବୀ/ସେବିକାଙ୍କ ସହିତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରାଣି ଚିକିତ୍ସାର ଉପ ନିର୍ଦ୍ଦେଶକ ଡ଼ଃ ତୁଷାରଚନ୍ଦ୍ର ମିଶ୍ର ପରିଚାଳନା କରିଥିବାବେଳେ ଡ଼ଃ ପ୍ରଭଞ୍ଜନ କବି ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲାର ସମସ୍ତ ପ୍ରାଣି ଚିକିତ୍ସାଳୟ କେନ୍ଦ୍ରରେ ବୁଲା କୁକୁର, ପୋଷା କୁକୁର ଏବଂ ବିରାଡିମାନଙ୍କୁ ମାଗଣାରେ ଜଳାନ୍ତକ ରୋଗର ଟୀକାକରଣ କରାଯାଇ ଥାଏ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି