କନ୍ଧମାଳ, ୦୮ ସେପ୍ଟେମ୍ବର(ହି.ସ.) – ଫୁଲବାଣୀ ଗାନ୍ଧୀ ସ୍ମୃତିଭବନ ସଭାଗୃହ ଠାରେ ଫୁଲବାଣୀର ସୁପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦ ପକ୍ଷରୁ ମେଘ ମହ୍ଲାର ଉତ୍ସବ ଓ ଜିଲ୍ଲାସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଗୁରୁଦିବସ ମୁଖ୍ୟଅତିଥି ଭାବେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସନ୍ତୋଷ କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ଏବଂ ଗୁରୁ ଶିଷ୍ୟ ପରମ୍ପରା ଓ ପିଲାମାନଙ୍କୁ ଶିକ୍ଷାଦାନ ବେଳେ ତା’ର ମାନସିକତାକୁ ଅନୁଧ୍ୟାନ କରି ତା’ର ଆଗ୍ରହ ମୁତାବକ କରାଯାଉଥିବା ଶିକ୍ଷାଦାନ ହିଁ ସଫଳତା ଆଣିଦିଏ ବୋଲି କହିଥିଲେ। ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୌମ୍ୟରଞ୍ଜନ ପାତ୍ର ଯୋଗଦେଇ ଶିକ୍ଷକମାନେ ସମାଜର ମଣିଷ ତିଆରି କରିବାର ଜଣେ ଜଣେ ନିଖୁଣ କାରିଗର ସେମାନେ ସମାଜରେ କିପରି ଜଣେ ଜଣେ ଭଲ ମଣିଷ ତିଆରି କରିବେ ସେମାନେ ସେ ଦିଗରେ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ। ଅନୁଷ୍ଠାନର ଦ୍ୱାରା କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସେହିଭଳି ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦୀ ଯୋଗଦେଇ ଶିକ୍ଷକମାନଙ୍କୁ ସେମାନଙ୍କ କାର୍ଯ୍ୟକାଳ ଭିତରେ ଶିକ୍ଷାଦାନ ବ୍ୟତୀତ ଅନେକ କାର୍ଯ୍ୟକ୍ରମରେ ସରକାରଙ୍କୁ ସହାୟତା କରିବାକୁ ପଡ଼ୁଛି ତଥାପି ପିଲାମାନେ କିପରି ଭଲରେ ପାଠ ପଢ଼ିବେ ସେ ଦିଗରେ ମଧ୍ୟ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ୩୭ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ସେମାନଙ୍କ ଉତମ ଶିକ୍ଷାଦାନ ସେମାନଙ୍କ ଶୃଙ୍ଖଳା ଆଦି ଆଧାରରେ ମାନପତ୍ର ଓ ମୋମେଂଟ ଆଦି ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ମଙ୍ଗଳ ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ମହାନ୍ତି, ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ପ୍ରାଧ୍ୟାପକ ତୀର୍ଥ ଜାନୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଶାନ୍ତ କୁମାର ବେହେରା ସଭାପତି ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦ, ଫୁଲବାଣୀଙ୍କ ଉପସ୍ଥିତରେ ଗୁରୁଙ୍କ ପ୍ରଶଂସା ସହ କାର୍ଯ୍ୟ ଦକ୍ଷତାର ଉଚ୍ଚ ପ୍ରଶଂସା କରିବା ସହ ଭବିଷ୍ୟତରେ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଉତମ ଭବିଷ୍ୟତ ଗଡ଼ିବା ସହିତ ଲୁକାୟିତ ପ୍ରତିଭା ତିଆରି କରି ଆଗକୁ ଯିବାପାଇଁ ପ୍ରେରଣା ଦେଇଥିଲେ। ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦର ସମ୍ପାଦକ ଡକ୍ଟର କାହ୍ନୁଚରଣ ଶତପଥୀ ଶେଷରେ ସମସ୍ତଙ୍କୁ ସମ୍ମାନର ସହିତ ଧନ୍ୟବାଦ ଦେଇଥିଲେ। ଶେଷରେ କୁନି କୁନି ପିଲାମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ