ବାରିପଦା, ୮ ସେପ୍ଟେମ୍ବର (ହି.ସ.) - କୋଟପା ଆଇନକୁ ଖୁଲମଖୁଲା ଭାବେ ଉଲଘଂନ କରାଯାଉଛି। ବାରିପଦା ସହର ସମେତ ଜିଲ୍ଲାବ୍ୟାପି ଶିକ୍ଷାନୁଷ୍ଠାନ ତଥା ଅନ୍ୟାନ୍ୟ ଜନଗହଳି ପୂର୍ଣ୍ଣ ସ୍ଥାନରେ କ୍ୟାନ୍ସର ରୋଗ ସୃଷ୍ଟି କାରୀ ଗୁଟୁଖା, ସିଗାରେଟ ସମେତ ଅନ୍ୟାନ୍ୟ ତମ୍ବାଖୁ ବେଧଡ଼କ ଭାବେ ବିକ୍ରୟ ହେଉଛି। ଏହାକୁ ରୋକିବା ପାଇଁ ଅପରେସନ ପ୍ରହାର ଅନ୍ତର୍ଗତ ପୁଲିସ ବିଭାଗ ପକ୍ଷରୁ ଜିଲ୍ଲାବ୍ୟାପି ଚଢ଼ାଉ ପ୍ରକ୍ରିୟା କରିଛନ୍ତି। ଏନଫୋର୍ସମେଂଟ ଟିମ ବିଭିନ୍ନ ସ୍ଥାନରେ ଥିବା ହୋଲସେଲର ଓ ଦୋକାନରେ ଚଢ଼ାଉ କରି ଗୁଟୁଖା ଓ ସିଗାରେଟ ଆଦି ବିକ୍ରି ନେଇ ଫାଇନ ଆଦାୟ କରାଯାଇଛି। ତମାଖୁ ସେବନ ଦ୍ୱାରା କ୍ୟାନସର ଭଳି ରୋଗରେ ଅକାଳରେ ମଣିଷର ଜୀବନ ଚାଲିଯାଉଛି। ଯାହାକୁ ନିୟନ୍ତ୍ରଣ କରିବା ପାଇଁ ୨୦୦୩ ମସିହାରେ କୋଟପା ଆଇନରେ ଗୁଟଖା ବିକ୍ରି ଉପରେ କଟକଣା ଲାଗୁ କରାଯାଇଥିଲା। ଏହି ନିୟମକୁ ୨୦୧୮ ମସିହାରେ କଡାକଡି ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶନାମା ମଧ୍ୟ ଜାରି ହୋଇଛି। କୋଟପା ଆଇନ ଅନୁଯାୟୀ ଶିକ୍ଷାନୁଷ୍ଠାନ ଠାରୁ ୯୧ ମିଟର ଦୂର ମଧ୍ୟରେ କୌଣସି ତମାଖୁ ବିକ୍ରି କରିବାର ନିୟମ ନାହିଁ। ଏହା ଛଡା ୧୮ବର୍ଷରୁ କମ୍ ବୟସ୍କ ପିଲା ମାନଙ୍କୁ ଏହା ବିକ୍ରୀ କରିବା ସମ୍ପୂର୍ଣ୍ଣ ବେଆଇନ ଅଟେ। ମାତ୍ର ଏହି ଆଇନ ବାରିପଦା ସହରରେ କଡାକଡି ଭାବେ ପାଳନ ହେଉ ନଥିବାରୁ ଗୁଟଖା ଓ ସିଗାରେଟ ଆଦି ତମ୍ବାଖୁ ବିକ୍ରି ବୃଦ୍ଧି ପାଉଛି। ଗଳି କନ୍ଦି ସମେତ ବିଦ୍ୟାଳୟ ଓ ମନ୍ଦିର ସମ୍ମୁଖରେ ପାନ ଦୋକାନ ଠାରୁ ଆରମ୍ଭ କରି ବିଭିନ୍ନ ଗ୍ରୋସରୀ, ଚା ଦୋକାନ ଗୁଡିକରେ ଖୁଲମଖୁଲା ମାଳ ମାଳ ଗୁଟଖା ଅବାଧରେ ବିକ୍ରି ହେଉଛି। ଯୁବପିଢ଼ି ତମ୍ବାଖୁ ନିଶାରେ କବଳିତ ହୋଇପଡୁଛନ୍ତି। ଏହାକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଦୋକାନୀ, ହୋଲସେଲର ମାନଙ୍କ ଉପରେ ଚଢାଉ କରାଯାଇଛି। ନିୟମ ଉଲଘଂନକାରୀ ପ୍ରତି ଦୋକାନୀଙ୍କ ଠାରୁ ଫାଇନ ଆଦାୟ କରି ସଚେତନ କରାଯାଇଛି। ଆଗକୁ ଉକ୍ତ ନିୟମ ଉଲଘଂନ କରି ତମ୍ବାଖୁ ବିକ୍ରୟ କଲେ ଅସାଧୁ ବ୍ୟବସାୟୀଙ୍କ କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ