ଏନଏସି ଘୋଷଣାକୁ ପ୍ରତ୍ୟାହାର ପାଇଁ ଦାବି : ବିକାଶ ପାଇଁ ରାଜ୍ୟ ସରକାର ପାଣ୍ଠି ବୃଦ୍ଧି କରନ୍ତୁ, ପ୍ରତ୍ୟାହାର ନହେଲେ ଆଇନର ଆଶ୍ରୟ ଚେତାବନୀ
ଏନଏସି ଘୋଷଣାକୁ ପ୍ରତ୍ୟାହାର ପାଇଁ ଦାବି ବିକାଶ ପାଇଁ ରାଜ୍ୟ ସରକାର ପାଣ୍ଠି ବୃଦ୍ଧି କରନ୍ତୁ ପ୍ରତ୍ୟାହାର ନହେଲେ ଆଇନର ଆଶ୍ରୟ ଚେତାବନୀ
NAC Ghosana Pratyahara dabi


ବାରିପଦା, ୮ ସେପ୍ଟେମ୍ବର (ହି.ସ.)- ପଞ୍ଚମ ଅନୁସୂଚୀତ ଅଞ୍ଚଳରେ ଏନଏସି ଗଠନ କରିବା ନେଇ ରାଜ୍ୟ ସରକାରଙ୍କ ଘୋଷଣାକୁ ପ୍ରତ୍ୟାହାର କରିବାକୁ ଦାବି ହୋଇଛି। ଏନେଇ ଆଦିବାସୀ ସେଙ୍ଗେଲ ଅଭିଯାନ ସହିତ ଅଲ୍ ଇଣ୍ଡିଆ ମାଝୀ-ପାର୍ଗାନା ମାଡୱା ଓଡ଼ିଶା ପ୍ରଦେଶ କମିଟି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ଏନଏସି ପ୍ରତ୍ୟାହାର କରାନଗଲେ ଆଗକୁ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି। ଯଦି ଅଞ୍ଚଳର ବିକାଶ କରିବାର ଅଛି ତେବେ ରାଜ୍ୟ ସରକାର ବିଭାଗୀୟ ପାଣ୍ଠି ବୃଦ୍ଧି କରିବାକୁ ଦାବି କରିଛନ୍ତି। ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟ ସରକାରଙ୍କ ଦ୍ୱାରା ୭ଟି ନୂଆ ପୌରପାଳିକା ଓ ୧୬ଟି ଏନଏସି ଗଠିନ କରିବାକୁ ଘୋଷଣା କରାଯାଇଛି। ଯେଉଁଥିରେ କି ପଞ୍ଚମ ଅନୁସୂଚୀତ ଅଞ୍ଚଳରେ ମଧ୍ୟ ଏନଏସି (ବିଜ୍ଞାପିତ ଅଞ୍ଚଳ ପରିଷଦ) ଗଠନ କରିବାକୁ ଘୋଷଣା କରାଯାଇଛି। ତେବେ ଯଥାଶୀଘ୍ର ଉକ୍ତ ପଞ୍ଚମ ଅନୁସୂଚୀ ଅଞ୍ଚଳର ଏନଏସି ଗଠିତ ଘୋଷଣାକୁ ପ୍ରତ୍ୟାହାର କରାଯାଉ ବୋଲି ଦାବି କରାଯାଇଛି। କାରଣ, ଭାରତରେ ଭାରତ ସରକାରଙ୍କ ଦ୍ୱାରା ଜିଲ୍ଲା ଆଧାରିତ ପଞ୍ଚମ ଅନୁସୂଚୀ ଅଞ୍ଚଳ ଚିହ୍ନଟ କରାଯାଇଛି ଏବଂ ଉକ୍ତ ଅନୁସୂଚୀ ଅଞ୍ଚଳରେ ପେସା ଆଇନ ଲାଗୁ କରାଯାଇଛି। ଏହି ଆଇନ ଦ୍ୱାରା ଅନୁସୂଚୀ ଅଞ୍ଚଳକୁ ବିକାଶ କରିବାର ବ୍ୟବସ୍ଥା ରହିଛି। ପେସା ଆଇନ ଦ୍ୱାରା ସର୍ବାଙ୍ଗୀନ ଉନ୍ନତି ପାଇଁ ଗ୍ରାମ-ପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ ବିଭାଗକୁ କାର୍ଯ୍ୟଭାର ଦିଆଯିବାର ବ୍ୟବସ୍ଥା ରହିଛି ବୋଲି ଦର୍ଶାଯାଇଛି। ତେଣୁ ପଞ୍ଚମ ଅନୁସୂଚୀ ଅଞ୍ଚଳରେ ଏନଏସି ଗଠନ କରିବାର କୌଣସି ଆବଶ୍ୟକତା ନାହିଁ ଏବଂ ଏହାର ପ୍ରାବଧାନ ମଧ୍ୟ ନାହିଁ ଉଲ୍ଲେଖ କରାଯାଇଛି। ପଞ୍ଚମ ଅନୁସୂଚୀ ଅଞ୍ଚଳରେ ଏନଏସି ଗଠନ କରିବା ଘୋଷଣା ଅସାମ୍ବିଧାନିକ ଅଟେ ଏବଂ ସମ୍ବିଧାନ ବିରୋଧୀ ଅଟେ। ଅର୍ଥାତ୍ ଅନୁସୂଚୀ ଜିଲ୍ଲା ଗୁଡ଼ିକରେ ଏନଏସି ଗଠନ କରାଗଲେ ପେସା ଆଇନ ସହ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ ବିଭାଗର କ୍ଷମତା କ୍ଷୁର୍ଣ୍ଣ ହୋଇଯିବ ବୋଲି କୁହାଯାଇଛି। ପଞ୍ଚମ ଅନୁସୂଚୀ ଅଞ୍ଚଳକୁ ଯଦି ବିକାଶ କରିବାର ଅଛି, ତେବେ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ ବିଭାଗକୁ ପର୍ଯ୍ୟାପ୍ତ ପରିମାଣରେ ପାଣ୍ଠି ବୃଦ୍ଧି କରାଯିବାକୁ ଦାବି କରାଯାଇଛି। ତେଣୁ ପଞ୍ଚମ ଅନୁସୂଚୀ ଅଞ୍ଚଳରେ ଏନଏସି ଘୋଷଣାକୁ ବିରୋଧ କରାଯାଇଛି। ମୁଖ୍ୟମନ୍ତ୍ରୀ ନିଜେ ପଞ୍ଚମ ଅନୁସୂଚୀ ଜିଲ୍ଲାରେ ଆଦିବାସୀ ହୋଇ ପଞ୍ଚମ ଅନୁସୂଚୀ ଅଞ୍ଚଳରେ ଏନଏସି ଘୋଷଣା କରାଯିବା ଘୋଷଣା ଅତି ଲଜ୍ଜାର ବିଷୟ ଅଟେ। ଯାହାକୁ ସଂଗଠନ ପକ୍ଷରୁ ଘୋର ନିନ୍ଦା କରାଯାଇଛି। ତେବେ ଓଡିଶାର ପଞ୍ଚମ ଅନୁସୂଚୀ ଜିଲ୍ଲାରେ ଏନଏସି ଘୋଷଣାକୁ ପ୍ରତ୍ୟାହାର କରାନଗଲେ ସେଙ୍ଗେଲ ସଂଗଠନ ନେତୃତ୍ବରେ ଆଦିବାସୀ ସମାଜର ସହଯୋଗରେ ଆଇନର ଆଶ୍ରୟ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

ବାରିପଦା ସେଙ୍ଗେଲ ଜୋନାଲ କମିଟିର ସଭାପତି ସହ ପ୍ରଦେଶ ସେଙ୍ଗେଲ ପାର୍ଗାନା ନାରାନ ମୁର୍ମୁଙ୍କ ନେତୃତ୍ବରେ ଦାବିପତ୍ର ପ୍ରଦାନ ବେଳେ ବାରିପଦା ଜୋନାଲ କମିଟିର ଉପସଭାପତି ବାହାଦୁର ମୁର୍ମୁ, ବାରିପଦା ଉପଖଣ୍ଡ ସେଙ୍ଗେଲ ସଭାପତି ବିକାଶ ଚନ୍ଦ୍ର ହେମ୍ବ୍ରମ, କପ୍ତିପଦା ଉପଖଣ୍ଡ ସେଙ୍ଗେଲ ପାର୍ଗାନା ଉଦୟନାଥ ହେମ୍ବ୍ରମ, ମାଝୀଆ ହାଁସଦାଃ, ବୁଧିରାମ ଟୁଡୁ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande