
ବ୍ରହ୍ମପୁର, ୧୬ ଜାନୁଆରୀ (ହି.ସ.)- ବ୍ରହ୍ମପୁର ସହରର ଦ୍ଵିତୀୟ ପୁରାତନ ଉଚ୍ଚ ବିଦ୍ୟାଳୟ ପୁରୁଣା ବ୍ରହ୍ମପୁର ସରକାରୀ ପୌର ଉଚ୍ଚ ବିଦ୍ୟାଳୟର ୬୪ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରମିଳା କୁମାରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ବିଦ୍ୟାଳୟ ୧୯୭୪ ମସିହା ମେଟ୍ରିକ୍ ଛାତ୍ର ସଂସଦର ସଭାପତି ଅକ୍ଷୟ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଏ ନାରାୟଣ ରେଡ୍ଡୀ ସମ୍ମାନିତ ଅତିଥି, ଛାତ୍ର ସଂସଦ ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ, ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଆବାହକ ନିରଞ୍ଜନ ମହାପାତ୍ର ଏବଂ ଉପଦେଷ୍ଟା ମହେନ୍ଦ୍ର କୁମାର ଅଗ୍ରୱାଲ ମଞ୍ଚାସିନ୍ ହୋଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପଟ୍ଟନାୟକ ବିଦ୍ୟାଳୟର ବାର୍ଷିକ ବିବରଣୀ ଉପସ୍ଥାପନା କରି ଛାତ୍ର ଛାତ୍ରୀ ମାନଙ୍କୁ ପଢ଼ା ରେ ଧ୍ୟାନ ଦେବା ସହ ଶୃଙ୍ଖଳିତ ଜୀବନଯାପନ ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟ ଅତିଥି ବିଶିଷ୍ଟ କ୍ରୀଡ଼ାବିତ ଶ୍ରୀ ପଟ୍ଟନାୟକ ଛାତ୍ର ଜୀବନର ଅନୁଭୂତି ବର୍ଣ୍ଣନା କରି ନିଜ ଜୀବନକୁ ଉତ୍ତମ ମାର୍ଗରେ ପରିଚାଳିତ କରିବା ପାଇଁ ଉଦବୋଧନ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଶ୍ରୀପଲ୍ଲବ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ ଯେ, ଏହି ବିଦ୍ୟାଳୟର ବହୁ ପୁରାତନ ଛାତ୍ର ବହୁ ଉଚ୍ଚ ପଦ ପଦବୀ ଅଧିଷ୍ଠିତ ହୋଇ ପାରିଛନ୍ତି। ତେଣୁ ଛାତ୍ର ଛାତ୍ରୀ ପଢ଼ାରେ ମନୋନିବେଶ କଲେ ତୁମେ ମାନେ ମଧ୍ୟ ଉତ୍ତମ ନାଗରିକ ହୋଇପାରିବ।
ଏଥି ସହିତ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ କତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ଏହି ଅବସରରେ ଛାତ୍ର ସଂସଦର ଉପଦେଷ୍ଟା ମହେନ୍ଦ୍ର କୁମାର ଅଗ୍ରୱାଲ ଷଷ୍ଠରୁ ଦଶମ ଶ୍ରେଣୀରେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସ୍କୁଲ ବ୍ୟାଗ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ତତ୍ ସହିତ ବିଭିନ୍ନ କ୍ରୀଡା, ବକ୍ତୃତା, ଚିତ୍ରାଙ୍କନ ଏବଂ ନାଚ ଗୀତରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶିକ୍ଷୟିତ୍ରୀ ଜ୍ୟୋସ୍ନା ରାଣୀ ପାଢୀ ଏବଂ ସୌମ୍ୟା ନାୟକ ଙ୍କ ପରିଚାଳନା ରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ରେ ନମ୍ରତା ରାଣୀ ସିଂ, ଗିରିଜା ଶଙ୍କର ପଣ୍ଡା, ଲୋପାମୁଦ୍ରା ପଟ୍ଟନାୟକ, ପରମେଶ୍ବର ପାଣିଗ୍ରାହୀ, ଗୀତାଞ୍ଜଳି ଦେବି, ସୁଶାନ୍ତ କୁମାର ମିଶ୍ର,ସୁଜାତା ସେଠୀ, ଟୁକୁନୀ ବଡ଼ ମୁଣ୍ଡି, ଭାରତୀ ସେଠୀ ପ୍ରମୁଖ ଙ୍କ ସମେତ ପୁରାତନ ଛାତ୍ର ସଂସଦର ସୁରେନ୍ଦ୍ର ବେହେରା, ଶଙ୍କର ପ୍ରସାଦ ପାଢୀ, କୈଳାସ ଚନ୍ଦ୍ର ସାହୁ, ନାରାୟଣ ସାହୁ, ରଜନୀ କାନ୍ତ ପାଢୀ ଏବଂ ସୁବାସ ଚନ୍ଦ୍ର ଦାସ, ବହୁ ଅବିଭାବକ ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଟ୍ରାଫିକ ନିୟମ ପାଳନ, ବାଜି ରାଉତ, ଧରମା, ମାର ସ୍ନେହ, ପ୍ରଭୃତି ଏକାଂକିକା ପରିବେଷଣ କରାଯିବା ସହ ପ୍ରଥମ ରୁ ପଞ୍ଚମ ଶ୍ରେଣୀର କୁନି କୁନି ଛାତ୍ରଛାତ୍ରୀମାନେ ବିଭିନ୍ନ ଗୀତିନାଟ୍ୟ ପରିବେଷଣ କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ
ଲୋପାମୁଦ୍ରା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ