
କେନ୍ଦୁଝର, ୧୬ ଜାନୁଆରୀ(ହି.ସ.) – କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡ ଠାରେ ମକର ସଂକ୍ରାନ୍ତି ଉପଲକ୍ଷେ ୩ ଦିନିଆ ମକର ମହୋତ୍ସବ ଖୁବ ଧୁମଧାମରେ ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଦିନର ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ମମତା ମହାନ୍ତ ଉପସ୍ଥିତ ରହି ମେଳାର ଗୌରବ ବଢ଼ାଇ ଥିଲେ। ଆକର୍ଷଣୀୟ ମୁକ୍ତ ରଙ୍ଗ ମଂଚରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ହଜାର ହଜାର ପର୍ଯ୍ୟଟକ ମନଭରି ଉପଭୋଗ କରିଥିଲେ। ଆଜିର ଉତ୍ସବରେ ମୁଖ୍ୟ ବକ୍ତା ଭାବେ କେନ୍ଦୁଝର ଜିଲ୍ଲା ଲେଖିକା ସଂସଦର ସମ୍ପାଦିକା ତଥା ଆକାଶବାଣୀ କେନ୍ଦୁଝର ର ଅ୍ୱସର ପ୍ରାପ୍ତ ଉପସ୍ଥାପିକା ଇନ୍ଦୁମତି ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କେନ୍ଦୁଝର ସାଂସଦଙ୍କ ପ୍ରତିନିଧି ପ୍ରହ୍ଲାଦ ପଲେଇ, ଡୁମୁରିଆ ସରପଂଚ ଗୌରହରି ନାଏକ, ସାମାଜିକ କର୍ମୀ ରାଧାକାନ୍ତ ମହାନ୍ତ, କୁଡୁମିସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ, ସୋମବାରୀ ମୁଣ୍ଡା, ବିଦ୍ୟାଧର ମହାନ୍ତ, ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ରେ ପାର୍ଥସାରଥୀ ବେଜ ମଂଚ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଆକର୍ଷଣୀୟ ମୁକ୍ତ ରଙ୍ଗ ମଞ୍ଚରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସଭା କାର୍ଯ୍ୟ ପରେ ସମ୍ବଲପୁର ର ବିଶିଷ୍ଟ କଳାକାର, ମାତାରିଣୀ ନୃତ୍ୟ ଶିକ୍ଷାକେନ୍ଦ୍ର ଘଟଗାଁ, ଏମ୍ଜେ ଝୁମୋର ଗ୍ରୁପ ଏବଂ ବଣମହୁଲଡିହା ଓ ପଲାଣଘାଟି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଓଡିଶୀ, ଝୁମୋର, ସମ୍ବଲପୁରୀ ଓ ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA