ବିଦ୍ୟୁତ୍ ସକ୍ ସହ ଗରମ ତେଲ ଢାଳି ଦେଲେ, ଗୁରୁତର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଦାଦନ ଶ୍ରମିକ
ନୂଆପଡ଼ା,୧୬ ଜାନୁଆରୀ (ହି.ସ.) - ଶ୍ରମିକଙ୍କ ପ୍ରତି ଦାଦନ ସର୍ଦ୍ଦାରର ବର୍ବରକାଣ୍ଡ । ଟ୍ରେନ୍‌ରୁ ଶ୍ରମିକକୁ ଉଠାଇ ନେଇ କରେଣ୍ଟ ଦେବା ପରେ କିଛି ତୈଳ ପଦାର୍ଥ ଦେହରେ ଢାଳି ଦିଆସିଲି ମାରିଦେଲେ। ଏଥିରେ ପୀଡ଼ିତଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଛି। ଏବେ ସେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ସୂଚ
Dadan shramik gurutar


ନୂଆପଡ଼ା,୧୬ ଜାନୁଆରୀ (ହି.ସ.) - ଶ୍ରମିକଙ୍କ ପ୍ରତି ଦାଦନ ସର୍ଦ୍ଦାରର ବର୍ବରକାଣ୍ଡ । ଟ୍ରେନ୍‌ରୁ ଶ୍ରମିକକୁ ଉଠାଇ ନେଇ କରେଣ୍ଟ ଦେବା ପରେ କିଛି ତୈଳ ପଦାର୍ଥ ଦେହରେ ଢାଳି ଦିଆସିଲି ମାରିଦେଲେ। ଏଥିରେ ପୀଡ଼ିତଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଛି। ଏବେ ସେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

ସୂଚନା ଅନୁସାରେ, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଜୁନାପାଣି ଖଲିଆଭଟା ଗାଁର ବିଦ୍ୟାଧର ମାଝୀ (୫୦), ତାଙ୍କ ପୁଅ ଅଜୟ ମାଝୀ ଓ ଗାଁର ୫/୬ ଜଣ ବ୍ୟକ୍ତି ଅଗ୍ରିମ ଟଙ୍କା ନେଇ ୩ ମାସ ତଳେ ସ୍ଥାନୀୟ ଦଲାଲ ହିତେଶ କୁମାରଙ୍କ ଜରିଆରେ ଆନ୍ଧ୍ରପ୍ରଦେଶ ଅଲ୍ଲାନାମ ଅଞ୍ଚଳର ଏଆର୍ ମାଧବଙ୍କ ଇଟାଭାଟିରେ କାମ କରୁଥିଲେ। କିଛିଦିନ ତଳେ ବିଦ୍ୟାଧର ପରିବାର ଲୋକଙ୍କୁ ନେଇ ଆସିବି ବୋଲି ଇଟାଭାଟି ମାଲିକଙ୍କୁ ନକହି ଲୁଚି କରି ସିକନ୍ଦରାବାଦରୁ ଟ୍ରେନ୍‌ରେ ବିଶାଖାପାଟଣା ଆସୁଥିଲେ। ଇଟାଭାଟି ମାଲିକ ଜାଣିବା ପରେ ବିଦ୍ୟାଧରଙ୍କୁ ଧରି ଆଣିବା ପାଇଁ ତାଙ୍କ ସର୍ଦ୍ଦାର ସହ ୩-୪ ଜଣ ଯୁବକଙ୍କୁ ପଠାଇଥିଲେ। ସମ୍ପୃକ୍ତ ଯୁବକ ମାନେ ବିଦ୍ୟାଧରଙ୍କ ପିଛା କରି ଶ୍ରୀକାକୁଲମ୍‌ ଠାରୁ ୧୦୦ କି.ମି. ଦୂର ଏକ ଷ୍ଟେସନରୁ ତାଙ୍କୁ ଧରିଥିଲେ। ଜୀବନ ପ୍ରତି ବିପଦ ଥିବା ଆଶଙ୍କାରେ ବିଦ୍ୟାଧର ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ମାତ୍ର ସମ୍ପୃକ୍ତ ଯୁବକ ମାନେ ତାଙ୍କୁ ଧରି ନିକଟରେ ଥିବା ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ପାଖକୁ ନେଇ କରେଣ୍ଟ ଦେଇଥିଲେ। ପରେ ଏକ ତୈଳ ଜାତୀୟ ପଦାର୍ଥ ତାଙ୍କ ଉପରେ ଢାଳି ଦିଆସିଲି ମାରି ଦେଇଥିଲେ । ବିଦ୍ୟାଧର ଚିତ୍କାର କରିବାରୁ ସେମାନେ ଫେରାର ହୋଇ ଯାଇଥିଲେ। ରେଳବାଇ ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଶ୍ରୀକାକୁଲମ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ସେଠାରେ ପହଞ୍ଚିବା ପରେ ଡାକ୍ତର ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ନେବାକୁ ପରାମର୍ଶ ଦେଇଥିଲେ। ତେବେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସେମାନେ ଅନ୍ୟ ବଡ଼ ଡାକ୍ତରଖାନାକୁ ନେଇ ନପାରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ । ବର୍ତ୍ତମାନ ସେ ଜୀବନ ସହ ସଂଗ୍ରାମ କରୁଛନ୍ତି। ତାଙ୍କୁ ଆଜି ତାଙ୍କ ଭଉଣୀ ଆସିକି ନେଇ ଯାଇଥିବା ପରିବାର ଲୋକେ କହିଛନ୍ତି। ଶ୍ରମିକଙ୍କୁ ଚିକିତ୍ସା ସହାୟତା, ଇଟାଭାଟି ମାଲିକ ଓ ସ୍ଥାନୀୟ ଦଲାଲଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା କମଳ ଚରଣ ତାଣ୍ଡି। ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ସାହୁ, ଖଡ଼ିଆଳ ଏସଡିପିଓ ଉପେନ୍ଦ୍ର ପ୍ରଧାନ ଏବଂ ଆଇଆଇସି ଦିଲୀପ ସାହୁ ପୀଡ଼ିତଙ୍କୁ ଭେଟି ଘଟଣା ବିଷୟରେ ତଦନ୍ତ କରିଥିବା ବେଳେ ଏନେଇ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି। ଇଟା ଭାଟି ମାଲିକ ଏ ଆର ମାଧବ ଓ ଦାଦନ ସର୍ଦ୍ଦାର ହିତେଶ କୁମାର ସହ ନିର୍ଯାତନା ଦେଇଥିବା ଦୁଇ ଜଣ ଦୃର୍ବୁତ୍ତଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୀଡ଼ିତ ବିଦ୍ୟାଧର ମାଝୀ ଖଡ଼ିଆଳ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande