
ଖୋର୍ଦ୍ଧା, ୧୬ ଜାନୁଆରୀ (ହି.ସ.)- ବାଣପୁର ବଜାରରେ ବିନା ଲାଇସେନ୍ସରେ ବେଧଡକ ଭାବେ ଦୀର୍ଘ ବର୍ଷ ଧରି ବେଆଇନ ଔଷଧ ଦୋକାନ ଚାଲିଥିବା ବେଳେ ଡ୍ରଗ୍ ବିଭାଗ ପକ୍ଷରୁ ଶୁକ୍ରବାର କଡାକଡି ଯାଞ୍ଚ କରାଯାଇଛି । ଏଲୋପ୍ୟାଥି, ହୋମିଓପ୍ୟାଥୀ ସହ ଆୟୁର୍ବେଦିକ ଔଷଧ ଗ୍ରାହକଙ୍କୁ ବିକ୍ରିକରି ମାଲେମାଲ ହେଉଥିଲେ ବ୍ୟବସାୟୀ । ଖବର ପାଇ ଆଜି ଖୋର୍ଦ୍ଧା ଓ ଭୁବନେଶ୍ୱରରୁ ୪ ଜଣିଆ ଡ୍ରଗ୍ ସ୍କ୍ବାର୍ଡ ଆସି ଚଢଉ କରିଛି । ଦୀର୍ଘ ୬ ଘଣ୍ଟାର ଛାନଭିନ ପରେ ୬୦ରୁ ୬୫ ପ୍ରକାରର ଏଲୋପ୍ୟାଥୀ ଔଷଧ ସହ ହୋମିଓପ୍ୟାଥୀ ବି ଜବତ କରିଛି ସ୍କ୍ବାର୍ଡ । ଏଥିସହିତ ବାସଭବରେ ମଧ୍ୟ ଚଢ଼ଉ କରିଥିଲା ଡ୍ରଗ୍ ବିଭାଗ । ବିପୁଳ ପରିମାଣର ଔଷଧକୁ ଜବତ କରିବା ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ଔଷଧ ଓ କାଗଜପତ୍ରର ଯାଞ୍ଚ ଜାରି ରହିବ । ଏହି ଘଟଣାରେ ଏକ ମାମଲା ରୁଜୁ ହେଵ ଏବଂ କେଉଁଠୁ ଔଷଧ ଆସୁଛି କିଏ ଦେଉଛି ତା'ର ମଧ୍ୟ ଯାଞ୍ଚ କରାଯିବ ବୋଲି ଆସିଷ୍ଟାଣ୍ଟ ଡ୍ରଗ କଣ୍ଟ୍ରୋଲର କହିଛନ୍ତି ।
ବାଣପୁର ପୋଲିସ ଓ ମାଜିଷ୍ଟ୍ରେଟ ଭାବରେ ବାଣପୁର ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ୩ ଜଣ ଡ୍ରଗ ଇନ୍ସପେକ୍ଟରଙ୍କ ସହ ଆସିଷ୍ଟାଣ୍ଟ ଡ୍ରଗ କଣ୍ଟ୍ରୋଲର ଚଢ଼ଉ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରାକେଶ