
ଭୁବନେଶ୍ୱର, ୧୬ ଜାନୁଆରୀ (ହି.ସ.) - ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ କେଦାରଗୌରୀ, ଖଣ୍ଡଗିରି, କପିଳେଶ୍ୱର ଓ ମୁକ୍ତେଶ୍ୱର ପରି ପ୍ରମୁଖ ଐତିହ୍ୟ ଓ ଧାର୍ମିକ ସ୍ଥଳୀଗୁଡ଼ିକର ସାମଗ୍ରିକ ବିକାଶ, ସୁରକ୍ଷା ଏବଂ ପର୍ଯ୍ୟଟନ ପରିଚାଳନା ନେଇ ଆଲୋଚନା ହୋଇଯାଇଛି ।
ଉପମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ସ୍ଥଳିଗୁଡିକରେ ବ୍ୟାପକ ସ୍ୱଚ୍ଛତା ଓ ସଚେତନତା ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଐତିହ୍ୟ ସୁରକ୍ଷା, ପର୍ଯ୍ୟଟନ ପ୍ରୋତ୍ସାହନ ଓ ପରିବେଶ ସୁରକ୍ଷା ଏକା ସାଥ୍ ରେ ଆଗେଇ ନିଆଯିବା ଆବଶ୍ୟକତା ରହିଛି ବୋଲି ସେ ମତ ପ୍ରକାଶ କରିଛନ୍ତି। ବୈଠକରେ ମନ୍ଦିର ପରିସରରେ ବୈଜ୍ଞାନିକ ପଦ୍ଧତିରେ ବର୍ଜ୍ୟବସ୍ତୁ ପରିଚାଳନା, କୁଣ୍ଡ ଓ ଜଳାଶୟଗୁଡ଼ିକର ଡିସିଲିଂ ଓ ପୁନରୁଦ୍ଧାର, ଡ୍ରେନେଜ୍ ବ୍ୟବସ୍ଥାର ସୁଧାର, ଏବଂ ଜଳସ୍ରୋତର ରକ୍ଷଣବେକ୍ଷଣ ଉପରେ ଗଭୀର ଆଲୋଚନା କରାଯାଇଥିଲା। ମନ୍ଦିର ଟ୍ରଷ୍ଟ ଓ ସଂପୃକ୍ତ ସ୍ଥାନୀୟ ସଂସ୍ଥାଙ୍କ ଅଧୀନରେ ଡ୍ରେନେଜ୍, ପଂମ୍ପିଂ ଓ ରକ୍ଷଣବେକ୍ଷଣ କାର୍ଯ୍ୟ ପାଇଁ ସ୍ଥାନ ପରିଦର୍ଶନ କରି ଏକ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ସହ ଆବଶ୍ୟକ ବୈଷୟିକ ଦଳ ନିଯୁକ୍ତ କରିବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ପର୍ଯ୍ୟଟନ ବିଭାଗ, ବିଏମସି , ଏସଆଇ , ଏଣ୍ଡୋମେଂଟ ବିଭାଗ ଓ ସ୍ଥାନୀୟ ପ୍ରଶାସନ ମଧ୍ୟରେ ଘନିଷ୍ଠ ସମନ୍ୱୟ ରଖ୍ ସ୍ୱଚ୍ଛତା, ଜଳର ଗୁଣବତା ଏବଂ ସ୍ମାରକଗୁଡ଼ିକର ନିୟମିତ ରକ୍ଷାବେକ୍ଷଣ ସୁନିଶ୍ଚିତ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଆବଶ୍ୟକ ଥିବା ସ୍ଥାନଗୁଡ଼ିକରେ ସଫେଇ ଓ ପଂମ୍ପିଂ କାର୍ଯ୍ୟ ପ୍ରାଥମିକତା ଭିତିରେ କରାଯିବ। ପର୍ଯ୍ୟଟକମାନଙ୍କର ସୁଖଦ ଅନୁଭୂତି ପାଇଁ ପ୍ରଶିକ୍ଷିତ ଗାଇଡ୍ ନିଯୁକ୍ତି ମାଧ୍ୟମରେ ଐତିହ୍ୟ ଓ ସଂସ୍କୃତି ସମ୍ପର୍କିତ ସୂଚନା ପ୍ରଦାନ କରିବା, ସହିତ ଇଂଟରପ୍ରେଟେସନ୍ ସେଂଟରଗୁଡ଼ିକର ସୁଚାରୁ ପରିଚାଳନା ଏବଂ ରାମ୍ପ ସହିତ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ସୃଷ୍ଟି କରିବାକୁ ମଧ୍ୟ ବୈଠକରେ ନିଷ୍ପତି ନିଆଯାଇଛି।
ଏଥୁ ସହିତ ପର୍ଯ୍ୟଟନ ସ୍ଥଳରେ ଐତିହାସିକ ଏବଂ ସାଂସ୍କୃତିକ ସୂଚନା ପ୍ରସାରଣ ପାଇଁ ତାଲିମପ୍ରାପ୍ତ ଗାଇଡମାନଙ୍କୁ ନିୟୋଜିତ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଭବିଷ୍ୟତରେ ବ୍ୟାଖ୍ୟାନ କେନ୍ଦ୍ରଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ଏବଂ ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ରାମ୍ପ ଏବଂ ସାର୍ବଜନୀନ ସୁଗମତା ସୁବିଧା ସୃଷ୍ଟି କରିବାକୁ ନିଷ୍ପତି ନିଆଯାଇଥିଲା।
ଏହି ବୈଠକରେ ପର୍ଯ୍ୟଟନ ବିଭାଗର କମିଶନର-କମ୍-ସଚିବ, ବଳବନ୍ତ ସିଂହ, ଏଣ୍ଡୋମେଂଟ କମିଶନ ଲଲତେନ୍ଦୁ ଜେନା, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଗୃହ ଓ ସହର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ସତ୍ରୁଘ୍ନ କର, ଭୁବନେଶ୍ୱର ମହାନଗର ନିଗମ କମିଶନର ଚଂଚଳ ରାଣା, ଭୁବନେଶ୍ୱର ପ୍ରତତ୍ୱ ବିଭାଗ ପ୍ରତିନିଧ୍ୱ ଡ଼. ମନୋରଞ୍ଜନ ସାହୁ, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଖୋର୍ଦ୍ଧା ଉପଜିଲ୍ଲାପାଳ ଡ଼. ମନୋରଞ୍ଜନ ସାହୁ, ଏବଂ ବିଧାୟକ ଏକାମ୍ର, ବାବୁ ସିଂହଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ବୈଠକରେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା